ଭୁବନେଶ୍ବରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ବର : ରବିବାର ଅପରାହ୍‌ଣ ପ୍ରାୟ ସାଢ଼େ ୧୨ଟାବେଳେ ସ୍ଥାନୀୟ ଆଇଗିଣିଆ ଗାଁର ବିମ୍ବାଧର ସୁନ୍ଦରରାୟ(୪୫)ଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ସିଜୁଆ ଗାଁର ଡମ୍ବରୁ ଜୟସିଂହଙ୍କ ନେତୃତ୍ବରେ ପ୍ରାୟ ୫/୬ ଜଣ ଯୁବକ ତାଙ୍କୁ ଖଣ୍ଡା ଓ ଭୁଜାଲି ଭଳି ମାରଣାସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଫଳରେ ତାଙ୍କ ମୁଣ୍ଡ, ପିଠି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅପରପ‌କ୍ଷେ ତାଙ୍କୁ ଏକ ସ୍ଥାନୀୟ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବାବେଳେ ପ୍ରତିଶୋଧ ନେବା ପାଇଁ ବିମ୍ବାଧରଙ୍କ ଗୋଷ୍ଠୀ ପକ୍ଷରୁ ଡମ୍ବରୁ ଘରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ଏହି ମାମଲାରେ ଖଣ୍ଡଗିରି ଥାନା ପୁଲିସ ଡମ୍ବରୁ ଓ ତା’ର ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ଗଣ୍ଡଗୋଳ ନିୟନ୍ତ୍ରଣ ପାଇଁ ସିଜୁଆରେ ପୁଲିସ ମୁତୟନ କରାଯାଇଛି।

ସୂଚନାନୁସାରେ ତମାଣ୍ଡୋସ୍ଥିତ ଏକ ଜିମ୍‌କୁ ନିୟମିତ ଯାଉଥିବା ବିମ୍ବାଧରଙ୍କ ଭଣଜା ଲିପୁ ପରିଡ଼ା ଓ ଅଭିଯୁକ୍ତ ଡମ୍ବରୁ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଖବର ପାଇ ବିମ୍ବାଧର ଘଟଣାସ୍ଥଳରେ ପହଞ୍ଚି ଭଣଜା ପକ୍ଷ ନେଇଥିଲେ। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳକୁ ଆସିଯିବାରୁ ଉଭୟ ପକ୍ଷ ସେଠାରୁ ଚାଲି ଯାଇଥିଲେ। ପୂର୍ବରୁ କେତେକ ଅପରାଧିକ ମାମଲାରେ ଜଡ଼ିତ ଥିବା ଡମ୍ବରୁ ତା’ ଗୋଷ୍ଠୀଙ୍କୁ ଏକାଠି କରି ଆଇଗିଣିଆ ଗାଁକୁ ଯାଇଥିଲା। ଦୁର୍ଗାମଣ୍ଡପ ନିକଟରେ ବିମ୍ବାଧରକୁ ଏକୁଟିଆ ପାଇ ସେମାନେ ଅତର୍କିତ ଆକ୍ରମଣ କ‌ରିଥିଲେ। ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିବା‌ ଦେଖି ଡମ୍ବରୁ ଗୋଷ୍ଠୀ ସେଠାରୁ ପଳାଇଥିଲେ। ତୁରନ୍ତ ବିମ୍ବାଧରକୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ବିମ୍ବାଧରଙ୍କ ଗୋଷ୍ଠୀ ଡମ୍ବରୁ ଘରେ ପଶି ଭଙ୍ଗାରୁଜା କରିଥିଲେ। ସୌଭାଗ୍ୟକୁ ଡମ୍ବରୁ ଫେରାର୍ ହୋଇ ସାରିଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସିଜୁଆରେ ପହଞ୍ଚି ଗଣ୍ଡଗୋଳକାରୀମାନଙ୍କୁ ବୁଝାଶୁଝା କରି ଫେରାଇଥିଲା।

ସମ୍ବନ୍ଧିତ ଖବର