ପାହାଳ ନିକଟରେ ଜଘନ୍ୟ ହତ୍ୟାକାଣ୍ଡ, ଗୋଡ଼ାଇ ଗୋଡ଼ାଇ ହାଣିଲା

ବାଲିଅନ୍ତା : ମାସକ ଭିତରେ ବାଲିଅନ୍ତା ଥାନା ଅଧୀନରେ ଘଟିଛି ଦୁଇ ଦୁଇଟି ହତ୍ୟାକାଣ୍ଡ। ନଖରାଗଡ଼ାଠାରେ ଜଣେ ରଙ୍ଗମିସ୍ତ୍ରି ଅରୁଣ ଦାସଙ୍କୁ ବେଲ୍‌ଚାରେ ପିଟି ପିଟି ହତ୍ୟା କରାଯାଇଥିବା ବେଳେ ଆଜି ଅଟଳାଗଡ଼ା ନିକଟ ସୁରେଖା ଆପାର୍ଟମେଣ୍ଟ୍‌ ନିକଟରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଚୋଟ ପରେ ଚୋଟ ମାରି ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାକାରୀ ଜଣଙ୍କ ସମସ୍ତଙ୍କ ସମ୍ମୁଖରେ ଏପରି ଜଘନ୍ୟ କାଣ୍ଡ ଭିଆଇଥିଲେ ମଧ୍ୟ କେହି ତାକୁ ଅଟକାଇବାରେ ସାହସ କରିପାରି ନଥିଲେ। ହତ୍ୟାକାରୀର ଭୟରେ ସମେସ୍ତ ଦୌଡ଼ି ପଳାଇଥିଲେ। ହତ୍ୟାର ଶିକାର ହୋଇଥିବା ଯୁବକ ହେଲେ ଲକ୍ଷ୍ମୀସାଗର ଥାନା ଅଧୀନ ଶବର ସାହି ଅଞ୍ଚଳରେ ପ୍ରୀତମ୍‌ ରାଉତରାୟ(୪୫)। ତେବେ କେଉଁ କାରଣରୁ ତାଙ୍କୁ ଏପରି ବୀଭତ୍ସ ଭାବେ ହତ୍ୟା କରାଗଲା ତାହା ସ୍ପଷ୍ଟ ହୋଇ ପାରିନି। ଜୋନ୍‌-୪ ଏସିପି ଅମରେନ୍ଦ୍ର ପଣ୍ଡା ଓ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ପୁଲିସ ସୂଚନା ଅନୁଯାୟୀ ନିର୍ମାଣାଧୀନ ସୁରେଖା ଆପାର୍ଟମେଣ୍ଟ ପାଇଖାନା ଟାଙ୍କି ପାଇଁ ଖୋଳା ଯାଇଥିବା ଗାତ ଭିତରୁ ପ୍ରୀତମ୍‌ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍‌ସରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରତ୍ୟକ୍ଷଦର୍ଶୀ କିଛି ଶ୍ରମିକ ଓ ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ ହତ୍ୟାକାରୀ ଜଣଙ୍କ ଏକା ଥିଲା। ସେ ଏକ ଖଣ୍ଡା ଧରି ପ୍ରୀତମ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ମାରିଥିଲା। ପ୍ରୀତମ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିଲେ ମଧ୍ୟ ସେ ତାକୁ ଛାଡ଼ି ନଥିଲା। ଅତି ନିର୍ମମ ଭାବେ ହାଣି ଚାଲିଥିଲା। ଏପରିକି ଯୁବକ ଜଣଙ୍କ ନିସ୍ତେଜ ହେବା ପର୍ଯ୍ୟନ୍ତ ସେ ସେଠାରେ ଅଟକି ରହିଥିଲା। ପ୍ରାୟ ଅଧ ଘଣ୍ଟା ଧରି ହତ୍ୟାକାରୀ ଜଣଙ୍କୁ ଏପରି କାଣ୍ଡ ଭିଆଇଥିଲେ ମଧ୍ୟ କେହି ତାକୁ ଅଟକାଇବାରେ ସାହସ କରିପାରି ନଥିଲେ। ପ୍ରଚୁର ରକ୍ତସ୍ରାବ ଯୋଗୁ ପ୍ରୀତମ ନିସ୍ତେଜ ହୋଇଯିବା ପରେ ସେ ଫେରାର ହୋଇ ଯାଇଥିଲା।

ଖବରପାଇ ଏସିପି ଶ୍ରୀ ପଣ୍ଡାଙ୍କ ସମେତ ଥାନା ଅଧିକାରୀ ପ୍ରଦୀପ ରାଉତ ଓ ପାହାଳ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଥିଲେ। ଘଟଣାସ୍ଥଳରୁ ପୁଲିସ ପ୍ରୀତମଙ୍କ ରକ୍ତଭିଜା ଜୋତା ଓ ପୋଷାକପତ୍ର ସହିତ ଅନ୍ୟ ଜିନିଷ ଜବତ କରିଛି। ଏଥିସହିତ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରିଛି। ପୁଲିସ ହତ୍ୟାର କାରଣ ଜାଣିବା ପାଇଁ ଲକ୍ଷ୍ମୀସାଗର ଥାନା ଓ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇ ପାରିନି। ହତ୍ୟା ଘଟଣା ପଛରେ ପୂର୍ବ ଶତ୍ରୁତା, ବାକି ଟଙ୍କା ନେଣଦେଣ, ବ୍ୟାବସାୟିକ ଶତ୍ରୁତା କି ଅନ୍ୟ କୌଣସି କାରଣ ତାହା ସ୍ପଷ୍ଟ ହୋଇପାରିନି। ଏସିପି ଶ୍ରୀ ପଣ୍ଡାଙ୍କ ସୂଚନା ମୁତାବକ ପକେଟରୁ ମିଳିଥିବା ପରିଚୟପତ୍ରରୁ ସେ ଶବରସାହିର ହୋଇଥିବା ଜଣାପଡ଼ିଥିଲେ ହେଁ ସେଠାରୁ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ଲୋକମାନେ କହୁଛନ୍ତି। ସଠିକ ତଥ୍ୟ ଜାଣିବା ପାଇଁ ପ୍ରୀତମ୍‌ଙ୍କ ପରିବାର ଲୋକ କେଉଁଠି ରହୁଛନ୍ତି ସେମାନଙ୍କୁ ଠାବ କରିବାକୁ ପୁଲିସ ପ୍ରୟାସ ଚଳାଇଛି।

ସୂଚନାଯୋଗ୍ୟ ଯେ, ଅରୁଣଙ୍କ ହତ୍ୟା ରହସ୍ୟ ଉନ୍ମୋଚନ କରିବାରେ ବାଲିଅନ୍ତା ଥାନା ପୁଲିସ ବିଫଳ ହୋଇଥିବା ବେଳେ ଏବେ ପ୍ରୀତମଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଦୁଇଟି ଘଟଣା ଏବେ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି।

ସମ୍ବନ୍ଧିତ ଖବର