ନୋ-ଏଣ୍ଟ୍ରିରେ କାର୍‌ ଅଟକାଇବାରୁ ବଡ଼ଦାଣ୍ଡରେ ମହିଳା କନେଷ୍ଟବଳଙ୍କୁ ନିସ୍ତୁକ ମାଡ଼

ଡାକ୍ତରାଣୀ ଓ ଭାଇ ଥାନାରେ ଅଟକ

ପୁରୀ : ମାର୍କେଟ ଛକ ଟ୍ରାଫିକ୍‌ ପୋଷ୍ଟକୁ ଡେଇଁ ଶ୍ରୀମନ୍ଦିର ଆଡ଼କୁ ଏକ ନମ୍ବର ବିହୀନ କାର୍‌ ଯିବାକୁ ଉଦ୍ୟମ କରୁଥିବା ବେଳେ ଏହାକୁ ଅଟକାଇ ଜଣେ ମହିଳା କନେଷ୍ଟବଳ ଲହୁଲୁହାଣ ହୋଇଛନ୍ତି। କାର୍‌ରେ ଥିବା ଜଣେ ମହିଳା ଡାକ୍ତର ତାଙ୍କ ଭାଇଙ୍କୁ ଡକାଇ ମହିଳା କନେଷ୍ଟବଳଙ୍କୁ ତଳେ ଗଡ଼େଇତଡ଼େଇ ନିସ୍ତୁକ ପିଟିଛନ୍ତି। କେବଳ ସେତିକି ନୁହେଁ, କନେଷ୍ଟବଳଙ୍କ ବର୍ଦ୍ଦିକୁ ଚିରି ତାଙ୍କୁ ଅର୍ଦ୍ଧ ଉଲଗ୍ନ କରାଇ ଦେଇଛନ୍ତି। ଖବର ପାଇ ଟାଉନ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଏହି ଭାଇଭଉଣୀଙ୍କ କବଳରୁ ସମ୍ପୃକ୍ତ ମହିଳା କନେଷ୍ଟବଳଙ୍କୁ ଉଦ୍ଧାର କରିଛନ୍ତି। ପରେ ପୁଲିସ ଏହି ନମ୍ବର ବିହୀନ କାର୍‌କୁ ଜବତ କରିବା ସହିତ ଆକ୍ରମଣକାରୀ ଭାଇଭଉଣୀଙ୍କୁ ଥାନାରେ ଅଟକ ରଖିଛି। ବଡ଼ଦାଣ୍ଡରେ ଶହଶହ ଲୋକଙ୍କ ଉପସ୍ଥିତିରେ ଜଣେ କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀଙ୍କ ଉପରେ ଏହି ମିଳିତ ଆକ୍ରମଣ ସହରରେ ଆଲୋଡ଼ନ ସୃଷ୍ଟି କରିଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଆଜି ମାର୍କେଟ ଛକରେ ମହିଳା କନେଷ୍ଟବଳ ସବିତା ପ୍ରଧାନ ଅନ୍ୟ ସହଯୋଗୀମାନଙ୍କ ସହ ଟ୍ରାଫିକ୍‌ ଡିଉଟି କରୁଥିଲେ। ରାତି ପ୍ରାୟ ନଅଟାରେ ସେଠାରେ ଏକ ନମ୍ବର ବିହୀନ କାର୍‌ ପହଞ୍ଚି ଶ୍ରୀମନ୍ଦିର ଆଡ଼କୁ ମୁହାଇଁଥିଲା। ଟ୍ରାଫିକ୍‌ ନିୟମାନୁଯାୟୀ ମାର୍କେଟ ଛକରୁ ଆଗକୁ କୌଣସି କାର୍‌ ଯିବାପାଇଁ ବାରଣ ରହିଥିବାରୁ ସବିତା ତାଙ୍କୁ ଅଟକାଇଥିଲେ। ତେବେ କାରରେ ଥିବା ମହିଳା ଡାକ୍ତର ଦେବଯାନୀ ସାମନ୍ତରାୟ ତାଙ୍କ ଘର ହରଚଣ୍ଡୀ ସାହିରେ ବୋଲି ଦର୍ଶାଇ କାର୍‌ ଆଗକୁ ନେବାଲାଗି କହିିଥିଲେ। ତେବେ ସବିତା କାର୍‌ ଛାଡ଼ି ନଥିଲେ। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତତର୍କ ସହ ସବିତା ଡାକ୍ତରାଣୀଙ୍କୁ ଠେଲାପେଲା କରିଥିଲେ। ଏହାପରେ ଦେବଯାନୀ ତାଙ୍କ ଭାଇ ଜ୍ୟୋତିପ୍ରକାଶଙ୍କୁ ଫୋନ୍‌ କରି ଘଟଣାସ୍ଥଳକୁ ଡକାଇଥିଲେ। ପୁଲିସର ଦୁର୍ବ୍ୟବହାର ସମ୍ପର୍କରେ ବଖାଣିଥିଲେ।

ଭାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟେ ଭାଇଭଉଣୀ ମିଶି କନେଷ୍ଟବଳ ସବିତାଙ୍କୁ ମାରପିଟ୍‌ କରିଥିଲେ। ତାଙ୍କର ବର୍ଦ୍ଦି କଲର ଧରି ଟଣାଓଟରା କରିବା ସହ ଏହାକୁ ଚିରିିଦେଇଥିଲେ। ଅର୍ଧଉଲଗ୍ନ ଅବସ୍ଥାରେ ସବିତା ତଳେ ପଡ଼ିଯିବା ପରେ ବି ସେମାନେ ମାଡ଼ ମାରୁଥିଲେ। ଏହି ଖବର ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀଙ୍କ ପାଖରେ ପହଞ୍ଚିଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ଟାଉନ ଥାନା ଆଇଆଇସି ଉମାଶଙ୍କର ସିଂ ଘଟଣାସ୍ଥଳରେ ପହଞ୍ଚି ଏହି ଦୁଇ ଭାଇଭଉଣୀଙ୍କ କବଳରୁ କନେଷ୍ଟବଳ ସବିତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ତଥାପି ଏହି ଭାଇଭଉଣୀ ସବିତାଙ୍କୁ ଛାଡ଼ିନଥିଲେ। ତାଙ୍କ ଚୁଟି ଘୋଷାରି ମାରପିଟ୍‌ କରିଥିଲେ। ଆଇଆଇସି ଶ୍ରୀ ସିଂହ କୌଣସି ପ୍ରକାରେ ସବିତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ଭାଇଭଉଣୀଙ୍କୁ ଥାନାକୁ ନେବା ସହ ତାଙ୍କ କାର୍‌ଟିକୁ ମଧ୍ୟ ଜବତ କରିଥିଲେ।

ଖବର ପାଇ ସିଟି ଡିଏସପି ପ୍ରଶାନ୍ତ ପଟ୍ଟନାୟକ ଟାଉନ ଥାନାରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଅନ୍ୟପଟେ ପୁରୀ ଜିଲ୍ଲା କନେଷ୍ଟବଳ ଓ ହାବିଲଦାର ସଂଘର କର୍ମକର୍ତ୍ତାମାନେ ମଧ୍ୟ ଟାଉନ ଥାନାରେ ପହଞ୍ଚି କର୍ତ୍ତବ୍ୟରତ କନେଷ୍ଟବଳଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର