କୋରେଇ ବିଡିଓଙ୍କୁ ମାଡ଼, ୪ ବୁଥ୍‌ରେ ହେବ ସାନି ମତଦାନ

କୋରେଇ : ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର କୋରେଇ ବ୍ଲକ୍‌ରେ ଭୋଟଗ୍ରହଣ ବେଳେ ବ୍ୟାପକ ଗଣ୍ଡଗୋଳ ହୋଇଥିଲା। ବ୍ଲକ୍‌ର ୨୮ ପଞ୍ଚାୟତରେ ମୋଟ୍‌ ୪୦୮ଟି ବୁଥ୍‌ରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ନିର୍ବାଚନୀ ହିଂସା ଫଳରେ ୪ଟି ବୁଥ୍‌ର ଭୋଟଗ୍ରହଣକୁ ପ୍ରଶାସନ ବନ୍ଦ କରିଛି। କୋରେଇ ବିଡିଓ ତଥା ନିର୍ବାଚନ ଅଧିକାରୀ ରଂଜନ କୁମାର ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଠେଲାପେଲା କରିବା ସହ ମାଡ଼ ମାରିଥିଲେ। ଯାହାକୁ ନେଇ ପାଣିକୋଇଲି ଥାନାରେ ଗୋଳେଇପୁର ପଞ୍ଚାୟତ ଦାୟିତ୍ବରେ ଥିବା ସେକ୍ଟର ଅଫିସର ରାସୋଇ ମୁଣ୍ତରୀ ଓ ବିଡିଓ ଶ୍ରୀ ପରିଡ଼ା ପୃଥକପୃଥକ ଭାବେ ଏତଲା ଦେଇଛନ୍ତି।

ସୂଚନା ମୁତାବକ, ଗୋଳେଇପୁର ପଞ୍ଚାୟତ ସୋତି ୟୁଜିଏମ୍ଇ ସ୍କୁଲ୍‌ରେ ସକାଳ ୭ଟାରେ ବୁଥ୍ ନମ୍ବର ୮, ୯, ୧୦ ଓ ୧୧ରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା। ସକାଳ ୮ଟା ପରେ କିଛି ସ୍ଥାନୀୟ ଲୋକ ଜୋର୍‌ ଜବରଦସ୍ତ ବୁଥ୍ ଭିତରେ ପଶି ଭୋଟ୍‌ ଦେବାକୁ ଉଦ୍ୟମ କରୁଥିବା ବିଡିଓ ଶ୍ରୀ ପରିଡ଼ା ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସମ୍ପୃକ୍ତ ଲୋକମାନେ ତାଙ୍କୁ ଘେରିଯାଇ ଭିତରକୁ ଯିବାକୁ ଦେଇନଥିଲେ। ପରେ ବିଡିଓ ସ୍କୁଲ୍ ଭିତରକୁ ଯାଇ ୧୧ ନମ୍ବର ବୁଥ୍‌ରେ ବୁଝାସୁଝା କରୁଥିବା ସମୟରେ କିଛି ଦୁର୍ବୃ୍ତ୍ତ ତାଙ୍କୁ ବୁଥ୍ ଭିତରେ ଠେଲାପେଲା କରିବା ସହ ଆକ୍ରମଣ କରିଥିଲେ। ସେଠାରେ ଥିବା ଅଳ୍ପକିଛି ସୁରକ୍ଷା କର୍ମୀଙ୍କ ପାଇଁ ବିଡିଓଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା। ପରେ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଓ ପୁଲିସ୍‌ ଫୋର୍ସ ପହଞ୍ଚି ବିଡିଓଙ୍କୁ ଉଦ୍ଧାର କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ମିହିର କୁମାର ମହାନ୍ତି, ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କ ସମେତ ୧୦ ପ୍ଲାଟୁନ୍ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ୪ଟି ବୁଥ୍‌ରେ ଭୋଟ୍‌ ବନ୍ଦ କରାଯାଇଥିଲା। ଏହାକୁ ନେଇ ପାଣିକୋଇଲି ଥାନାରେ ୨ଟି ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ ଭିଡିଓ ଫୁଟେଜ ଆଧାରରେ ତଦନ୍ତ ଚଳାଇଛି। ସେହିପରି ଗୋଳେଇପୁର ପଞ୍ଚାୟତ ଟିକର ଗ୍ରାମରେ ଥିବା ୧୪ ଓ ୧୫ ନମ୍ବର ବୁଥ୍‌ରେ ମଧ୍ୟ ରିଗିଂ କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସେଠାରେ ମଧ୍ୟ ସାନି ମତଦାନ ପାଇଁ ଦାବି ହୋଇଛି। ନିର୍ବାଚନ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏସମ୍ପର୍କରେ ଅନୁଧ୍ୟାନ କରୁଥିବା ବ‌େଳେ କ’ଣ ନିଷ୍ପତ୍ତି ନିଆଯିବ ତାହା ପରେ ଜଣାପଡ଼ିବ ବୋଲି କୋରେଇ ବିଡିଓ ଶ୍ରୀ ପରିଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର