ଖୋର୍ଦ୍ଧା: ବିଦ୍ୟୁତ ସଂଯୋଗ ମରାମତି କରିବାକୁ ଯାଇଥିବା ବିଦ୍ୟୁତ୍ କର୍ମଚାରୀଙ୍କୁ ପଲ୍ଲା ଗ୍ରାମରେ କେତେକ ଯୁବକ ଆକ୍ରମଣ କରିଛନ୍ତି । ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଜଣକୁ ଥାନାକୁ ଆଣି ପଚରାଉଚୁରା ଚଳାଇଛି । ତେବେ ଆପୋଷ ବୁଝାମଣାରେ ଏହି ମାମଲାର ସମାଧାନ କରିବାକୁ ପୁଲିସ ଚାପ ପକାଉଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, ପଲ୍ଲା ଗ୍ରାମରେ ବିଦ୍ୟୁତ୍ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହେଉଥିବା ଅଭିଯୋଗ ପରେ ଆଜି ପୂର୍ବାହ୍ଣରେ ବିଦ୍ୟୁତ୍ ବିଭାଗ ଏସ୍ଡିଓ ଓ ଅନ୍ୟ କର୍ମଚାରୀ ଏହାର ଯାଂଚ ଓ ମରାମତି କରିବାକୁ ଯାଇଥିଲେ । ସେଠାରେ ବେଆଇନ ସଂଯୋଗ ହୋଇଥିବା ଓ ଏହି କାରଣରୁ ଏଭଳି ବିଦ୍ୟୁତ୍ ବିଭ୍ରାଟ ହେଉଥିବା ଜାଣି ପଚରାଉଚୁରା କରିଥିଲେ । ଏଥିରେ ଉତକ୍ଷୀପ୍ତ ହୋଇ ବେଆଇନ ସଂଯୋଗ କରିଥିବା ଘରର କେତେକ ସଦସ୍ୟ ଏସ୍ଡିଓ ଓ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ବିଦ୍ୟୁତ୍ ଅଧିକାରୀ ଓ କର୍ମଚାରୀମାନେ ଖୋର୍ଦ୍ଧା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୁଲିସ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଛି । ତେବେ ମାମଲାର ରଫାଦଫା ପାଇଁ କେତେକ ବ୍ୟକ୍ତି ରାଜନୈତିକ ନେତାଙ୍କ ଜରିଆରେ ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ପୁଲିସ ଅଧିକାରୀଙ୍କ ଉପରେ ଚାପ ପକାଉଥିବା ଜଣାଯାଇଛି । ମାମଲା ରୁଜୁ ନକରି ଆପୋଷ ବୁଝାମଣାରେ ସମାଧାନ କରିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି ।
ଏନେଇ ଆକ୍ରମଣ ଶିକାର ହୋଇଥିବା ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ କହିବା କଥା ହେଲା ପୁଲିସ ହେଉ କିମ୍ବା କୌଣସି ଦାୟିତ୍ୱରତ ସରକାରୀ କର୍ମଚାରୀଙ୍କୁ କର୍ମ ସମ୍ପାଦନ ବେଳେ ଆକ୍ରମଣ କରିବା, ସେମାନଙ୍କୁ ଅଟକାଇବା ଆଦି ଭାରତୀୟ ଦଣ୍ଡବିଧି ଆଇନାନୁସାରେ ଅପରାଧ ଅଟେ । ତେବେ କର୍ତବ୍ୟ କରିବାକୁ ଯାଇଥିବା କର୍ମଚାରୀଙ୍କୁ ସୁରକ୍ଷା ଦେବା ବଦଳରେ ପୁଲିସର ଏଭଳି ବୁଝାମଣା ପଦକ୍ଷେପ ନିନ୍ଦନୀୟ ।