ହୋଟେଲରେ ବାପପୁଅଙ୍କୁ ପ୍ରାଣାତ୍ମକ ଆକ୍ରମଣ

ରାଉରକେଲା: ରାଉରକେଲା ଷ୍ଟେସନ ନିକଟସ୍ଥ ଏକ ହୋଟେଲରେ ତିନି ଅଜ୍ଞାତ ଯୁବକ ପଶି ବାପ ଓ ପୁଅକୁ ପ୍ରାଣାତ୍ମକ ଆକ୍ରମଣ କରିଛନ୍ତି। ଅଜ୍ଞାତ ଯୁବକମାନଙ୍କ ମାଡ଼ରେ ବାପ ଓ ପୁଅ ଗୁରୁତର ହୋଇଛନ୍ତି। ଲିଖିତ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍‌ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦିନ ଦ୍ବିପ୍ରହରରେ ବାପ ଓ ପୁଅଙ୍କୁ ପ୍ରାଣାତ୍ମକ ଘଟଣା ହୋଟେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ମୁତାବକ ହାୱଡା ବେଲୁରମଠସ୍ଥ ଗିରିଶ ଘୋଷ ରୋଡର ବ୍ୟବସାୟୀ ବିବେକ ଗୁପ୍ତା ଓ ତାଙ୍କ ପୁଅ ବିରାଜ ବ୍ୟବସାୟିକ କାମରେ ଗତକାଲି ରାଉରକେଲା ଆସିଥିଲେ।

ବାପ-ପୁଅ ଦୁହେଁ ରାଉରକେଲା ଷ୍ଟେସନ ନିକଟସ୍ଥ ହୋଟେଲରେ ରହିଥିଲେ। ଅପରାହ୍ନ ପ୍ରାୟ ୩ଟାରେ ଗାନ୍ଧିରୋଡ ଓ କୋଏଲନଗର ଅଞ୍ଚଳର ତିନି ଅଜ୍ଞାତ ଯୁବକ ମାରଣାସ୍ତ୍ର ଧରି ଜୋରଜବରସ୍ତ ହୋଟେଲରେ ରହୁଥିବା ବାପ-ପୁଅଙ୍କ ରୁମ୍‌ ଭିତରକୁ ପଶିଥିଲେ। ପ୍ରତିବାଦ କରିବାରୁ ସେମାନେ ସଂଘବଦ୍ଧ ଭାବେ ବିବେକ ଓ ତାଙ୍କ ପୁଅକୁ ମାରାଣସ୍ତ୍ରରେ ଆକ୍ରମଣ କରିଥିଲେ। ବିବେକ ଆଖିରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କ ପୁଅ ମଧ୍ୟ ଆହତ ହୋଇଥିଲେ। କେବଳ ଏତିକି ନୁହେଁ ପୁଲିସରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର