ଠାକୁରମୁଣ୍ଡା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ, ଠେଙ୍ଗାରେ ଆକ୍ରମଣ ପରେ ତୀରମାଡ଼ କରିବାରୁ ଜନୈକ ବୃଦ୍ଧ ଗୁରୁତର ହେବା ସହ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ, ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଧାତିକିଡ଼ିହା ଗ୍ରାମରେ କାଠିଆ ମଢେଇ(୬୭) ଓ କଲୋନିସାହିର ଆଇବନ ଦାସ(୫୭)ଙ୍କ ସହ ଜମିବାଡିକୁ ନେଇ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଆଜି ସକାଳେ ଗାଁମୁଣ୍ଡରେ କାଠିଆ ମହୁଲ ଫୁଲ ଗୋଟାଉଥିବାବେଳେ ଆଇବନ ଅତର୍କିତ ଭାବେ କାଠିଆଙ୍କୁ ଟାଙ୍ଗିଆରେ ହାଣି ପକାଇବା ସହ ଠେଙ୍ଗାରେ ପିଟିଥିଲେ।
ଠେଙ୍ଗା ମାଡ଼ରେ କାଠିଆଙ୍କ ଗୋଡ଼ ଭାଙ୍ଗିଯିବାରୁ ସେ ତଳେ ପଡ଼ି ଯାଇଥିଲେ। ଉତ୍ତ୍ୟକ୍ତ ଆଇବନ ସାଙ୍ଗରେ ଆଣିଥିବା ଧନୁତୀରରେ କାଠିଆଙ୍କୁ ଏକ ତୀର ମାରି ଘଟଣାସ୍ଥଳରୁ ଚାଲି ଯାଇଥିଲା। ତୀରଟି କାଠିଆଙ୍କ ଜଙ୍ଗରେ ଲାଖି ରହିଥିଲା। ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତୀର ବାହାର କରାଯାଇ ପାରିନଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ମହୁଲଡ଼ିହା ଥାନାଧିକାରୀ ରଞ୍ଜୁହାସିନା କୁଲୁ କଲୋନିସାହିରେ ପହଞ୍ଚି ଅଇବନଙ୍କୁ ଗିରଫ କରିବା ସହ ଧନୁ, ତୀର ଜବତ କରିଛି। ପୁତ୍ରବଧୂ ମୀନତି ମଢ଼େଇଙ୍କ ଏତଲାକ୍ରମେ ପୁଲିସ ନଂ.୧୯/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/17-23.jpg)