ବେଦବ୍ୟାସ ଘାଟରେ ମୃତ କରୋନା ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରାଣାନ୍ତକ ଆକ୍ରମଣ

ରାଉରକେଲା : ବେଦବ୍ୟାସ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ବେଳେ ମୃତ କରୋନା ରୋଗୀଙ୍କ ସମ୍ପର୍କୀୟ ତଥା ଯୁବ ଡାକ୍ତରଙ୍କୁ ଦାୟିତ୍ବରେ ଥିବା କିଛି କର୍ମଚାରୀ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଡ଼ ମାରିଥିବା କର୍ମଚାରୀଙ୍କ ବିରୋଧରେ ପରିବାର ଲୋକ ବ୍ରାହ୍ମଣୀ ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। ଝାରସୁଗୁଡାର ଫନିନ୍ଦା ଉରମାଲ (୨୮) ଝାରସୁଗୁଡା ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ଶାଖା ପରିଚାଳକ ଥିଲେ। ଗତ ୧୦ରେ ତାଙ୍କର କରୋନା ପଜିଟିଭ୍‌ ଆସିଥିଲେ।

ଚାରି ଦିନ ପରେ ଅର୍ଥାତ୍‌ ୧୪ରେ ରାଉରକେଲାର ଘରୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଅପରାହ୍ନରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଉଥିଲା। ଅନ୍ତିମ ସଂସ୍କାର ବେଳେ ମୃ୍ତ ଫନିନ୍ଦାଙ୍କ ଛୋଟ ଭାଇ ବୋଧିସତ୍ୟ ଉପସ୍ଥିତ ଥିଲେ। ନିଜ ମୋବାଇଲରେ ଭାଇଙ୍କ ଅନ୍ତିମ ସଂସ୍କାରର ଫଟୋ ଉଠାଇବା ସହ ଭିଡିଓ କରୁଥିଲେ। ସେଠାରେ ଉପସ୍ଥିତ ଥିବା କର୍ମଚାରୀ ଫଟୋ, ଭିଡ଼ିଓ କରିବାକୁ ମନା କରିଥିଲେ। ଯାହାକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

କର୍ମଚାରୀମାନେ ମୃତଙ୍କ ସାନ ଭାଇ ବୋଧିସତ୍ୟଙ୍କୁ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଡ୍ୟୁଟି କରୁଥିବା ପୁଲିସ ଆକ୍ରମଣକାରୀ କର୍ମଚାରୀଙ୍କୁ ରୋକି ନଥିଲେ ବୋଲି ମୃତଙ୍କ ମାମୁଁ ପଞ୍ଚାନନ ବେହେରା କହିଛନ୍ତି। ମୃତକଙ୍କ ପରିବାର ଆକ୍ରମଣକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ସେପଟେ ଶ୍ମଶାନ ଘାଟରେ ମୃତଙ୍କ ପରିବାରକୁ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଏଭଳି ଆକ୍ରମଣକୁ ସହରର ବିଭିନ୍ନ ମହଲରୁ ଦୃଢ଼ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର