ରଗଡ଼ି: କୋରେଇ ଥାନା ଅନ୍ଧାରୀ ପଞ୍ଚାୟତ କୋରାବନ୍ଦୀ ମୌଜା କିଆପଦା ଗ୍ରାମ ନିକଟରେ ଥିବା ଆର୍‌କେ ଟ୍ରାନ୍ସପୋର୍ଟ ଆଣ୍ଡ କନଷ୍ଟ୍ରକସନ ଲି.ର ଏକ କ୍ୟାମ୍ପ ଅଫିସରୁ ଗତ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି। ଜଗୁଆଳିଙ୍କୁ ମାଡ଼ମାରି ଲୁହା ପାଇପ, ପାଣି ମଟର ଓ ଏହାର ପାଇପ ତିନିଟି ମୋବାଇଲ ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇ ଯାଇଛନ୍ତି। ଏନେଇ ଦାୟିତ୍ବରେ ଥିବା ସିଭିଲ ଇଞ୍ଜିନିୟର ପ୍ରଶାନ୍ତ ମାହାତୋ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କ ମାଡ଼ରେ ରାତି ଜଗୁଆଳ ଭଗବାନ ବାହାଲିଆ ଆହତ ହୋଇଛନ୍ତି। ନିକଟରେ ରେଙ୍ଗାଲି କେନାଲର ଶାଖା କାମ ଚାଲୁଥିବାବେଳେ ଉକ୍ତ ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ଵ ନେଇଛି। ୧୦ ରୁ ୧୨ ଜଣ  ଦୁର୍ବୃତ୍ତ ଆସି ରାତି ଜଗୁଆଳିଙ୍କୁ ଠେଙ୍ଗାରେ ପିଟି ଆହତ କରିବା ସହ ବେକରେ ଭୁଜାଲି ଲଗାଇ ଭୟଭୀତ କରି ସାମଗ୍ରୀ ସବୁକୁ ଲୁଟି ନେଇଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଧରି ଆସିଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

ପୂର୍ବ ଦିନ ରାତିରେ ମଧ୍ୟ ପାଞ୍ଚରୁ ୫/୬ଜଣ ଦୁର୍ବୃତ୍ତ ଲୁଟ୍‌ ଉଦ୍ଦେଶ୍ୟରେ ଆସିଥିଲେ ବୋଲି ଜଣାପଡ଼ିଛି। ଆଲୁଅ ଜଳୁଥିବା ଏବଂ ଶବ୍ଦ ଶୁଣି ସେଠାରେ ରହୁଥିବା ଶ୍ରମିକମାନେ ଓ ରାତି ଜଗୁଆଳି ପହଞ୍ଚିଯିବାରୁ ସେମାନେ ଧମକ ଦେଇ ପଳାଇ ଯାଇଥିଲେ। ଶନିବାର ରାତିରେ ହୋଇଥିବା ଚୋରିରେ ସେହି ଦୁର୍ବ୍ୟତ୍ତମାନେ ସଂପୃକ୍ତ ଥିବା ରାତି ଜଗୁଆଳି କହିଛନ୍ତି। ପୂର୍ବରୁ ମଧ୍ୟ ଏଠାରୁ ଛୋଟମୋଟ ଚୋରି ହୋଇଥିବା ଜାଣିବାକୁ ମିଳିଛି। ବାରମ୍ବାର କ୍ୟାମ୍ପ ଅଫିସରେ ପଶି ତଥା ମାରଣାସ୍ତ୍ର ଆଣି ଧମକ ଦେଉଥିବାରୁ ଏଠାରେ ରହୁଥିବା ଶ୍ରମିକ, କର୍ମଚାରୀ ଓ ରାତି ଜଗୁଆଳି ଭୟଭୀତ ହୋଇ ପଡ଼ିଛନ୍ତି।