ଚମ୍ପୁଆ ଉପଜିଲ୍ଲାପାଳଙ୍କୁ ଆକ୍ରମଣ: ୩ ଗିରଫ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଉପରେ ଆକ୍ରମଣ‌ ହୋଇଛି। ୫ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ଉପଜିଲ୍ଲାପାଳଙ୍କ ଗାଡ଼ି ଅଟକାଇବା ସହ ତାଙ୍କୁ ଆକ୍ରମଣ କରିଛନ୍ତି। ଛୁରାମାଡ଼ କରିବାରୁ ତାଙ୍କ ଆଙ୍ଗୁଠି କଟିଯାଇଛି। ଏନେଇ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରି ୩ଜଣକୁ ଗିରଫ କରିଛି। ଦୁଇଜଣ ଫେରାର ଅଛନ୍ତି। ଓଭରଟେକ୍‌କୁ କେନ୍ଦ୍ରକରି ଏପରି ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ଚମ୍ପୁଆ ଉପଜିଲ୍ଲାପାଳ ତଥା ବଡ଼ବିଲ ପୌରପରିଷଦର ପ୍ରଶାସକ ପ୍ରତାପ ପ୍ରୀତିମୟଙ୍କ କହିବା ଅନୁସାରେ, ସେ ଶୁକ୍ରବାର ଏକ ଜରୁରୀ ବୈଠକରେ ଯୋଗଦେବାକୁ ଅପରାହ୍ନ ପ୍ରାୟ ୪ଟାବେଳେ ବଡ଼ବିଲ ଆସିଥିଲେ। ବୈଠକ ସାରି ରାତି ପ୍ରାୟ ୮ଟା ସମୟରେ ଚମ୍ପୁଆ ଫେରୁଥିଲେ। ବଡ଼ବିଲ ଥାନା ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ନିକଟରେ ୫ ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଓଭରଟେକ୍‌ କରିବାକୁ ପଛରୁ ହର୍ଣ୍ଣ ମାରିଥିଲେ। ରାସ୍ତା ଖରାପ ଥିବାରୁ ଉପଜିଲ୍ଲାପାଳଙ୍କ ଗାଡ଼ି ଚାଳକ ଓଭରଟେକ୍‌ କରିବାକୁ ରାସ୍ତା ଦେଇ ନଥିଲେ।

ଦୁର୍ବୃତ୍ତମାନେ ବଡ଼ବିଲ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଚାଳକ ଗାଡ଼ିରୁ ଓହ୍ଲାଇ ପଚାରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଟଣାଓଟରା କରିଥିଲେ। ପରେ ଉପଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିଲେ। ଏକ ଛୁରିରେ ଆକ୍ରମଣ କରିବାରୁ ତାଙ୍କ ଆଙ୍ଗୁଠି କଟି ଯାଇଥିଲା ବୋଲି ଶ୍ରୀ ପ୍ରୀତିମୟ କହିଛନ୍ତି। ତାଙ୍କ ପାଟି ଶୁଣି ପାଖରେ କାମ କରୁଥିବା କିଛି ଘରୋଇ ସୁରକ୍ଷାକର୍ମୀ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ଧରି ସୁରକ୍ଷାକର୍ମୀମାନେ ପୁଲିସ ଜିମା ଦେଇଛନ୍ତି।

ସମ୍ବନ୍ଧିତ ଖବର