ସ୍ତ୍ରୀକୁ ପ୍ରାଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଅମରିପଡ଼ାରେ ଭଡ଼ା ଘରେ ରହୁଥିବା ଗୀତାଞ୍ଜଳି ସ୍ବାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ପୁଲିସ ତାଙ୍କ ସ୍ବାମୀ ସୁରେନ୍ଦ୍ର ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ, ଗୀତାଞ୍ଜଳି ୧୦ ବର୍ଷ ତଳେ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଣତିରିଶ ଗ୍ରାମର ସୁରେନ୍ଦ୍ର ସ୍ବାଇଁଙ୍କୁ ବିବାହ କରିଥିଲେ। ସୁରେନ୍ଦ୍ର ଡୁଙ୍ଗୁରିପାଲି ଏଫ୍‌ସିଆଇରେ ଚାକିରି କରୁଥିଲେ। ସେମାନେ ଏଠାରେ ଘର ଭଡ଼ା ନେଇ ରହୁଥିଲେ। ବିବାହ ପରଠାରୁ ତାଙ୍କୁ ସ୍ବାମୀ ସୁରେନ୍ଦ୍ର ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।

ଗତ ୧ ତାରିଖ ରବିବାର ଦିନ ଘର ଭିତରେ ତାଙ୍କୁ ଏକ ଟାଙ୍ଗିଆରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ମୁଣ୍ଡ ଫାଟିଯାଇଥିବା ଓ ବାମ ହାତର ଆଙ୍ଗୁଳିକୁ ହାଣି ଦେଇଥିବା ଯୋଗୁଁ ସେ ଅଚେତ ହୋଇଯିବାରୁ ତାଙ୍କୁ ମରିଗଲା ଭାବି ସୁରେନ୍ଦ୍ର ଫେରାର ହୋଇ ଯାଇଥିଲେ। ଆକ୍ରମଣ ପରେ ଗୁରୁତର ଆହତ ହୋଇଥିବା ଗୀତାଞ୍ଜଳିଙ୍କୁ ତାଙ୍କ ଝିଅ ଓ ପଡ଼ୋଶୀ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ଆଣି ଚିକିତ୍ସା କରିଥିଲେ। ଅଭିଯୋଗ ପରେ ଡୁଙ୍ଗୁରିପାଲି ଆଇଆଇସି ଭାନୁ ଶଙ୍କର ଯାଦବ, ଏଏସଆଇ ଏକ‌ାମ୍ର ନାହକ ଓ ଅନ୍ୟ କର୍ମଚାରୀ ଗୁରୁବାର ଟିଟିଲାଗଡ଼ରୁ ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର