ବ୍ରହ୍ମପୁର: ବୁର୍ଲା ମେଡିକାଲ କଲେଜରେ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ଛାତ୍ରଙ୍କୁ ଆକ୍ରମଣ ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ବୁର୍ଲାରେ ଅନ୍ତଃମେଡିକାଲ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ଏମ୍କେସିଜି ମେଡିକାଲ କଲେଜର ୬୫ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଆଜି ସକାଳେ ସୁରକ୍ଷିତ ଅବସ୍ଥାରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଏମ୍କେସିଜି ମେଡିକାଲ କଲେଜ ଛାତ୍ର ସଂସଦ ସଭାପତି ଦେବୀତୋଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏମ୍କେସିଜି ଛାତ୍ର ବୁର୍ଲା ମେଡିକାଲ କଲେଜରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି। ସେଠାକୁ ଦ୍ବିତୀୟ ପର୍ଯ୍ୟାୟରେ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ଗସ୍ତ ବାତିଲ କରି ଦିଆଗଲା ବୋଲି ସଭାପତି ଦେବୀତୋଷ କହିଛନ୍ତି।
ଓଡ଼ିଶାରେ ଥିବା ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଚଳିତ ମାସ ୫ତାରିଖରୁ ୧୦ତାରିଖ ପର୍ଯ୍ୟନ୍ତ ଏକ ଅନ୍ତଃକଲେଜ ପ୍ରତିଯୋଗିତା ‘ୟୁଫୋରିଆ’ କାର୍ଯ୍ୟକ୍ରମ ଆୟୋଜନ ନିଷ୍ପତ୍ତି ହୋଇଥିଲା। ଗତବର୍ଷ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ବୁର୍ଲା ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଏଥିପାଇଁ ଏମ୍କେସିଜିର ପ୍ରାୟ ୨୫୦ ପିଲା ପର୍ଯ୍ୟାୟ କ୍ରମେ ବୁର୍ଲା ମେଡିକାଲ କଲେଜ ଯାଇଥାନ୍ତେ। ପ୍ରଥମ ପର୍ଯ୍ୟାୟରେ ୬୫ଜଣ ପିଲା ଗତ ୩ତାରିଖରେ ବାହାରି ୪ତାରିଖ ସକାଳେ ବୁର୍ଲାରେ ପହଞ୍ଚିଥିଲେ।
ଏହାପରେ ସେଠାରେ ଏଭଳି କାଣ୍ଡ ଘଟିଥିଲା। ବୁର୍ଲା ମେଡିକାଲ କଲେଜର ଛାତ୍ରଙ୍କ ଆକ୍ରମଣରେ ଏମ୍କେସିଜିର ୯ ଛାତ୍ର ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ। ଘଟଣା ପରେ ଏମ୍କେସିଜିର ଛାତ୍ରମାନେ ସଂଧ୍ୟାରେ ସେଠାରୁ ବାହାରି ଆସିଥିଲେ। ଛାତ୍ରମାନେ ଆଉ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଛାତ୍ର ସଂସଦ ସଭାପତି ଦେବୀଦୋଷ କହିଛନ୍ତି। ଯେଉଁ ଛାତ୍ରମାନେ ଆହତ ହୋଇଥିଲେ ବର୍ତ୍ତମାନ ସେମାନେ ସୁସ୍ଥ ରହିଛନ୍ତି। ସେମାନେ କିଛିଦିନ ବିଶ୍ରାମ ନେବା ପରେ ଆବଶ୍ୟକସ୍ଥଳେ ଅଧିକ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସେପଟେ ଏହି ଘଟଣାକୁ ନେଇ ଛାତ୍ର ସଂସଦ ତରଫରୁ ବ୍ରହ୍ମପୁର ଏସ୍.ପି.ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।