ରାଉରକେଲା: ପ୍ରାଣାତ୍ମକ ଆକ୍ରମଣ ଘଟଣାର ବିଚାର କରି ସହକାରୀ ଦୌରାଜଜ୍‌ ବିଷ୍ଣୁଦେବ ଜେ‌ନା ଅଭିଯୁକ୍ତକୁ ୪ ବର୍ଷ ଜେଲ ସହ ଏକ ହଜାର ଟଙ୍କା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୨ମାସ ଜେଲ ନିର୍ଦ୍ଦେଶ ଦେଇଛନ୍ତି। ୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ ଓ ୧୨ଟି ଦସ୍ତାବିଜ ଆଧାରରେ ବିଚାରପତି ଶ୍ରୀ ଜେନା ଏହି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ହେଲେ ଲାଠିକଟା ବ୍ଲକ ଅନ୍ତର୍ଗତ ଟିମ୍‌ପୁର ବସ୍ତିର କରନ ସିଂ ଖାଡ଼ିଆ। ଲାଠିକଟା ଟିମ୍‌ପୁର ବସ୍ତିରେ ଜଳେଶ୍ବର ବାର୍ଲା (୩୨) ରହନ୍ତି।

Advertisment

ଗତବର୍ଷ ଅଗଷ୍ଟ ୩୦ରେ ଅପରାହ୍ନ ପ୍ରାୟ ଅଢ଼େଇଟାରେ ଜଳେଶ୍ବର ତାଙ୍କ ସାନଭାଇଙ୍କ ଦୋକାନରେ ବସିଥିଲେ। କରନ ସିଂ ନିଶାଶକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ଜଳେଶ୍ବରଙ୍କ ସହ ପାଟିତୁଣ୍ଡ କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲା। ପ୍ରତିବାଦ କରିବାରୁ ଉତ୍ତେଜିତ ହୋଇ କରନ ଟାଙ୍ଗିଆ ଆଣି ଜଳେଶ୍ବରଙ୍କୁ ପ୍ରାଣାତ୍ମକ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଲିଖିତ ଅଭିଯୋଗ ଆଧାରରେ ଲାଠିକଟା ପୁଲିସ କରନକୁ ଗିରଫ କରିବା ସହ ରକ୍ତଭିଜା ଟାଙ୍ଗିଆ ଜବତ କରିଥିଲା। ସରକାରୀ ଓକିଲ ସନ୍ତୋଷ କୁମାର ନାୟକ ଓ ନିରଞ୍ଜନ ମହାନ୍ତ ମାମଲା ପରିଚାଳନା କରୁଥିଲେ।