ବାହା ହେବାକୁ ମନା କରିବାରୁ ପ୍ରେମିକର ଉନ୍ମତ୍ତକାଣ୍ଡ: ପ୍ରେମିକା, ମା’ ଓ ଭାଇଙ୍କୁ ଜାଳି ମାରିବାକୁ କଲା ଉଦ୍ୟମ

ବଲାଙ୍ଗୀର/ଲାଠୋର/ପାଟଣାଗଡ଼: ପ୍ରେମିକର ନିର୍ଯାତନା ସହିନପାରି ପ୍ରେମିକା ବାହା ହେବାକୁ ମନା କଲା। ଆଉ ତା’ପରେ ପ୍ରେମିକ ଉନ୍ମତ୍ତକାଣ୍ଡ ଭିଆଇଛି। ପ୍ରେମିକା, ତାଙ୍କ ମା’ ଓ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଏଥିରେ ତିନିଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ଶନିବାର ଏହି ଅଭାବନୀୟ ଘଟଣା ଘଟିଛି। ଗୁରୁତରମାନଙ୍କୁ ପୁଲିସ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ନେଇଥିଲା। ସେଠାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ପ୍ରେମିକ ଢେଙ୍କାନାଳର ସ୍ୱସ୍ତିକ ରମଣ ଦାସ ନିଆଁ ଲଗାଇ ଫେରାର୍‌ ହେଉଥିବା ସମୟରେ ସ୍ଥାନୀୟ ଲୋକେ ତାକୁ କାବୁ କରିବା ସହ ଉତ୍ତମମଧ୍ୟମ ଦେଇ ଲାଠୋର ପୁଲିସର ଜିମା ଦେଇଛନ୍ତି।

ପୁଲିସର ସୂଚନା ଅନୁସାରେ, ଉକ୍ତ ଯୁବତୀ ଓ ଅଭିଯୁକ୍ତ ସ୍ବସ୍ତିକ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ଫେବ୍ରୁଆରି ମାସରେ ଯୁବତୀ ବଲାଙ୍ଗୀର ଜିଲ୍ଲା ଲାଠୋର ଅଞ୍ଚଳର ଏକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ (ସିଏଚ୍‌ଓ) ଭାବେ ନିଯୁକ୍ତି ପାଇଥିଲେ। ସେ ବଲାଙ୍ଗୀର ସହରର ମୂଳ ନିବାସୀ ହୋଇଥିବା ବେଳେ ଲାଠୋରରେ ଏକ ଘରଭଡ଼ା ନେଇ ପରିବାର ସହ ରହୁଥିଲେ।

ଅନ୍ୟପଟେ ଅଭିଯୁକ୍ତ ସ୍ୱସ୍ତିକ ଢେଙ୍କାନାଳ ନିବାସୀ ହୋଇଥିବା ବେଳେ ସେ କଟକରେ ରହୁଥିବା ଜଣାପଡ଼ିଛି। ଅଭିଯୁକ୍ତ ବାରମ୍ବାର ଉକ୍ତ ଯୁବତୀଙ୍କୁ ଟଙ୍କା ମାଗିବା ସହ ବାହା ହେବାକୁ ଜିଦ୍‌ ଧରି ନିର୍ଯାତନା ଦେଉଥିଲା। ଶନିବାର ଦିନ ୧ଟାରେ ସ୍ବସ୍ତିକ ନିଶାସକ୍ତ ଅବସ୍ଥାରେ ଲାଠୋରକୁ ଆସି କବାଟ ବାଡ଼‌େଇଥିଲା। କବାଟ ଖୋଲିବା ପରେ ଉକ୍ତ ଯୁବତୀ, ତାଙ୍କ ମା’ ଓ ସାନଭାଇଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଜୀବନ ବଞ୍ଚାଇବାକୁ ତିନିଜଣ ଯାକ ଘର ବାଥ୍‌ରୁମ୍‌କୁ ଯାଇ ଦେହରେ ପାଣି ଢାଳିଥିଲେ। ପରେ ସେମାନେ ସଂଜ୍ଞାହୀନ ହୋଇପଡ଼ିଥିଲେ। ପୁଲିସ ଖବର ପାଇ ତୁରନ୍ତ ତିନିଜଣଙ୍କୁ ଉଦ୍ଧାର କରିଥିଲା। ଲୋକେ ଅଭିଯୁକ୍ତ ଫେରାର ହେଉଥିବା ଦେଖି ରାସ୍ତାରୁ ଧରିଥିଲେ। ଏନେଇ ଲାଠୋର ଥାନା ପୁଲିସ କେସ୍‌ ନଂ ୬୩/୨୩ରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର