ରାଉରକେଲା: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ କରାଯାଇଛି। ଏଭଳି ସ୍ଥିତିରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ନୂଆଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଲିଣ୍ଡା ପଞ୍ଚାୟତ ଅନ୍ତର୍ଗତ ଲାଙ୍କୋଇ ଗାଁର ଜଣେ ଯୁବ କରୋନା ଭୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଯୁବକ ଜଣଙ୍କ ହେଲେ ଶିଙ୍ଗ୍ରା ମୁଣ୍ଡାରୀ (୧୯)। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ହାତୀବାରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଏହି ଘଟଣାରେ ନୂଆଗାଁ ବ୍ଲକରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଶିଙ୍ଗ୍ରା ଗତ ବର୍ଷକ ତଳେ ତାର କିଛି ସାଙ୍ଗଙ୍କ ସହ ଚେନ୍ନାଇ କାମ କରିବାକୁ ଯାଇଥିଲେ। ଲକ୍‌ଡାଉନ୍‌ ଘୋଷଣା ପରେ ଘରକୁ ଫେରିବାକୁ ସେ ଗତ ମାର୍ଚ୍ଚ ୧୯ରେ ଟ୍ରେନ୍‌ ଚଢ଼ିଥିଲେ। ପର ଦିନ ଅର୍ଥାତ୍‌ ୨୦ରେ ରାଉରକେଲା ଷ୍ଟେସନରେ ଓହ୍ଲାଇଥିଲେ। ତେବେ ତୁରନ୍ତ ଘରକୁ ନ ଯାଇ ତାଙ୍କ ଘର ଠାରୁ ୪ କି.ମି. ଦୂର ଘୋଡାବନ୍ଧର ଜଣେ ସାଙ୍ଗଙ୍କ ଘରେ ରହିଥିଲେ। ସେଠାରେ ୪ ଦିନ ରହିବା ପରେ ଗତ ୨୪ ଅପରାହ୍‌ଣରେ ନିଜ ଗାଁ ଲାଙ୍କୋଇକୁ ଫେରିଥିଲେ। ତେବେ ସେ ଘରକୁ ପଶିବା ପୂର୍ବରୁ ଗାଁ ଲୋକେ ତାଙ୍କୁ ଘେରି ଯାଇଥିଲେ। ଡାକ୍ତରଖାନା ଯାଇ ରକ୍ତ ନମୁନା ପରୀକ୍ଷାକୁ ବାଧ୍ୟ କରିଥିଲେ। ଶିଙ୍ଗ୍ରା ରାଜି ନ ହେବାରୁ ଗ୍ରାମବାସୀ ଅଙ୍ଗନବାଡି କର୍ମୀ, ଆଶା ଦିଦି ଓ ବିଶ୍ରା ଥାନାକୁ ଏ ସଂକ୍ରାନ୍ତରେ ଜଣାଇଥିଲେ। ୨୫ ତାରିଖରେ ପିତା ଦଶରଥ ମୁଣ୍ଡାରୀ ଡାକ୍ତରଖାନା ଯାଇ ରକ୍ତ ନମୁନା ପରୀକ୍ଷା କରିବାକୁ କହିଥିଲେ। ଏହି କଥାକୁ ନେଇ ଉଭୟ ବାପ ଓ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପିତାଙ୍କ ଗାଳି ଓ କରୋନା ଭୟରେ ଶିଙ୍ଗ୍ରା ଘର ପଛପଟେ ବିଷ ପିଇ ଦେଇଥିଲେ। ସେ ଗୁରୁତର ଅବସ୍ଥାରେ ସେଠାରେ ପଡ଼ିଥିବା ଦେଖି ତାଙ୍କ ଭାଇ ଓ ପରିବାର ଲୋକ ତାଙ୍କୁ ହାତୀବାରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶିଙ୍ଗ୍ରାଙ୍କୁ ଆର୍‌ଜିଏଚ୍‌ ସ୍ଥାନାନ୍ତର କରାଯାଇଥିଲା।‌ ସେପଟେ ଗ୍ରାମବାସୀ ଶିଙ୍ଗ୍ରାଙ୍କୁ ଯାଞ୍ଚ କରିବାକୁ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ଜଣାଇଥିଲେ ହେଁ କେହି ଶୁଣି ନଥିଲେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।