ଟଙ୍କା ପାଇଁ ଶ୍ୱଶୁରଙ୍କୁ ଅପହରଣ ଉଦ୍ୟମ; ଇଂଜିନିୟର୍‌ ଜ୍ୱାଇଁ ସମେତ ୩ ଅଟକ, ଜାଇଲୋ କାର୍‌ ଜବତ

ବ୍ରହ୍ମପୁର : ଯୌତୁକ ପାଇଁ ପତ୍ନୀଙ୍କୁ ନିର୍ଯାତନା। ପରେ ବାଧ୍ୟ ହୋଇ ସ୍ବାମୀ, ସ୍ତ୍ରୀ ଅଲଗା ହେଲେ। କିନ୍ତୁ ଜ୍ୱାଇଁ ପୁଣିଥରେ ଟଙ୍କା ଦାବି କରି ଶ୍ୱଶୁରଙ୍କୁ ଅପହରଣ ଉଦ୍ୟମ କରି ଏବେ ପୁଲିସ ହାତରେ ଧରାପଡ଼ିଛନ୍ତି। ସଦର ଥାନା ପୁଲିସ ଜ୍ବାଇଁ ସମେତ ୩ଜଣଙ୍କୁ ଅଟକ ରଖିଛି। ଏହା ସହିତ ଏକ ଜାଇଲୋ କାର୍‌ ମଧ୍ୟ ଜବତ କରିଛି। ସଦର ଥାନା ପୁଲିସ ଏହି ଘଟଣାରେ ଶ୍ୱଶୁର ରବିନ୍ଦ୍ରନାଥ ବିଶ୍ବାଳଙ୍କ ଅଭିଯୋଗ କ୍ରମେ କେସ୍ ନମ୍ବର ୨୬/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ଅନ୍ନପୂର୍ଣ୍ଣାନଗର ବାସିନ୍ଦା ରବିନ୍ଦ୍ରନାଥଙ୍କ ଝିଅଙ୍କୁ ପ୍ରାୟ ୧୦ବର୍ଷ ତଳେ ଗୋବିନ୍ଦବିହାରର ଅମର ଜ୍ୟୋତି ମଲ୍ଲ ବିବାହ କରିଥିଲେ। ଅମର ଜଣେ ଇଂଜିନିୟର୍‌ ହୋଇଥିବା ବେଳେ ବାହାଘର ପରେ ଉଭୟେ ପୁନେରେ ରହୁଥିଲେ। ବାହାଘର କିଛିଦିନ ପରେ ବିଭିନ୍ନ କାରଣକୁ ନେଇ ସ୍ବାମୀ ଅମର ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଇ ଅଧିକ ‌ଯୌତୁକ ଦାବି କରି ଆସୁଥିଲେ। ବହୁ ବୁଝାସୁଝା ପରେ ମାମଲା ସମାଧାନ ନହେବାରୁ ଗତ ପ୍ରାୟ ୨ବର୍ଷ ହେଲା ରବିନ୍ଦ୍ରନାଥଙ୍କ ଝିଅ ସ୍ବାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଏହାପରେ ମାମଲା ସମାଧାନ ହୋଇଥିଲା। ଗତକାଲି ମଧ୍ୟାହ୍ନରେ ରବିନ୍ଦ୍ରନାଥ ଦକ୍ଷିଣପୁର ସ୍ଥିତ ତାଙ୍କର ରାଇସ୍‌ ମିଲ୍‌ରୁ ଘରକୁ ଖାଇବା ପାଇଁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ଜାଇଲୋ କାର୍‌ ଆସି ତାଙ୍କ ଆଗରେ ଅଟକିଥିଲା। କାର୍‌ରୁ ଜ୍ବାଇଁ ଅମର ଓ ଅନ୍ୟ ଜଣେ ଯୁବକ ବାହାରି ରବିନ୍ଦ୍ରନାଥଙ୍କୁ ଗାଡ଼ି ଭିତରକୁ ଟେକି ନେଇଥିଲେ। ଅମର ତାଙ୍କ ଶ୍ବଶୁରଙ୍କୁ ନାନା ଧମକ୍‌ ଦେଇ ମାଡ଼ ମାରିବା ସହିତ ୧୧ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଟଙ୍କା ନଦେଲେ ପରିସ୍ଥିତି ଖରାପ୍‌ ହେବ ବୋଲି ଧମକ୍‌ ଦେଇଥିଲେ।

ଏଥିରେ ରବିନ୍ଦ୍ରନାଥ ଭୟଭୀତ ହୋଇ ତାଙ୍କ କଥାରେ ରାଜି ହୋଇ ଯାଇଥିଲେ। ସେପଟେ ରବିନ୍ଦ୍ରନାଥ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେିବାରୁ ପରିବାରବର୍ଗଙ୍କୁ ନାନା ସନ୍ଦେହ ହୋଇଥିଲା। ପରିବାରବର୍ଗ ପୁଲିସକୁ ଖବର କରିଥିଲେ। ସେହି ରାସ୍ତାରେ ପାଟ୍ରୋଲିଂ କରୁଥିବା ପୁଲିସ ମହାରାଷ୍ଟ୍ର ନମ୍ବର ଥିବା ଜାଇଲୋ କାର୍‌କୁ ସନ୍ଦେହରେ ଅଟକ ରଖିଥିଲା। ଯାଞ୍ଚ ପରେ କାର୍‌ରୁ ରବିନ୍ଦ୍ରନାଥଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସ ଅମରଙ୍କ ସମେତ ତାଙ୍କ ଦୁଇଜଣ ସହଯୋଗୀଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ସନ୍ତୋଷିନୀ ଓରାମ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର