ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଦର୍ପଣ ତହସିଲଦାରଙ୍କୁ ତିନି ଜଣ ଅସାମାଜିକ ଯୁବକ ଗାଳିଗୁଲଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଦର୍ପଣ ତହସିଲଦାର ଶୁଭଦର୍ଶନ ମିଶ୍ର ଗତ ୯ ତାରିଖ ଦିନ ୧୨ଟା ବେଳେ ଇଡ୍କୋର ଜଣେ ଅଧିକାରୀ ଓ ବନ୍ଦାଳ ରାଜସ୍ୱ ନିରୀକ୍ଷକଙ୍କ ସହିତ ବନ୍ଦାଳ ଏଣ୍ଡରପଦାର ଏକ ଜମି ଅଧିଗ୍ରହଣ କାର୍ଯ୍ୟରେ ଯାଇ ଫେରୁଥିଲେ। ବନ୍ଦାଳ-ଏଣ୍ଡରପଦା ରାସ୍ତାରେ ତିନି ଜଣ ଯୁବକ ପ୍ରଚୁର ମଦ୍ୟପାନ କରି ତାଙ୍କ ଗାଡ଼ି ଅଟକାଇଥିଲେ। ତହସିଲଦାରଙ୍କ ଗାଡ଼ି ରହିବା କ୍ଷଣି ରାସ୍ତା କାହିଁକି ମରାମତି ହେଉନାହିଁ ବୋଲି ପ୍ରଶ୍ନ କରି ତହସିଲଦାର ଶ୍ରୀ ମିଶ୍ରଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏପରିକି ତହସିଲଦାରଙ୍କ ଗାଡ଼ିର କାଚ ଭାଙ୍ଗିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତହସିଲଦାର ଓ ଅନ୍ୟ ଅଧିକାରୀ ସେଠାରୁ ପଳାଇ ଆସିଥିଲେ। ଆଜି ଏନେଇ ତହସିଲଦାର ଶ୍ରୀ ମିଶ୍ର ବଡ଼ଚଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା କେସ ନମ୍ବର ୩୩/୨୩ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ଭାରପ୍ରାପ୍ତ ଥାନାଧିକାରୀ ମହମ୍ମଦ ସୁରଜ ସୂଚନା ଦେଇଛନ୍ତି । ସଂପୃକ୍ତ ଯୁବକମାନେ ବନ୍ଦାଳ ଗ୍ରାମର ବୋଲି ପୁଲିସ ସନ୍ଦେହ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/30-7.jpg)