କଣିହାଁ: ସାଧୁ ବେଶରେ ଆସି ଜଣେ ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି ୯ଜଣ ଅପହରଣକାରୀ। ଗ୍ରାମବାସୀ ଏହି ଅପହରଣକାରୀମାନଙ୍କୁ ପୁଲିସ ଜିମା ଦେଇଛନ୍ତି। ପୁଲିସ ସେମାନଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ଏଭଳି ଘଟଣା ଘଟିଛି ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଥାନା ଅଞ୍ଚଳରେ। ମିଳିଥିବା ସୂଚନା ଅନୁସରେ ଆଜି ସକାଳେ ରେଙ୍ଗାଳି ଥାନା ଶୁଶୁବା ପଞ୍ଚାୟତ ଭାଲିଆବେଡ଼ା ଗାଁର ସୁମନ୍ତ ସାହୁଙ୍କ ନାବାଳକ ପୁଅ ଗାଁ ମୁଣ୍ଡରେ ସାଙ୍ଗମାନଙ୍କ ସହ ସାଇକଲରେ ବୁଲୁଥିଲେ। ଅର୍କିଳରୁ ଭାଲିଆବେଡ଼ା ଅଭିମୁଖେ ଯାଉଥିବା ୨ଟି କାର୍ ଗାଁ ମୁଣ୍ଡରେ ହଠାତ୍ ଅଟକିଥିଲା। ଅପହରଣକାରୀମାନେ ନାବାଳକକୁ କାର୍ରେ ଉଠାଇ ନେବାକୁ ଉଦ୍ୟମ କରିଥିଲେ।
ନାବାଳକ ଜଣକ କାନ୍ଦି ଚିତ୍କାର କରିବାରୁ ସାଙ୍ଗ ପିଲା ଓ କିଛି ଗ୍ରାମବାସୀ କାର୍ ଦୁଇଟିକୁ ପିଛା କରିଥିଲେ। ଗାଁ ମୁଣ୍ଡରେ ରାସ୍ତା ଶେଷ ହୋଇଯିବାରୁ କାର୍ ଦୁଇଟି ଆଗକୁ ଯାଇପାରି ନଥିଲା। ସେଠାରୁ ବୁଲାଇ ଅନ୍ୟ ରାସ୍ତାରେ ଯିବା ପାଇଁ ବି ସୁଯୋଗ ନଥିଲା। ଫଳରେ ଗ୍ରାମବାସୀ ୯ଜଣ ଅପହରଣକାରୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ନାବାଳକକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅପହରଣକାରୀଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା। ଧରାପଡ଼ିଥିବା ସମସ୍ତ ଅପହରଣକାରୀ ମଧ୍ୟପ୍ରଦେଶର ବାସିନ୍ଦା ଏବଂ ସେମାନେ ସାଧୁବେଶରେ ଆଜି ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରୁଥିଲେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଅନୁଗୁଳ ସଦର ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ଜଣେ ନାବାଳିକା ନିଖୋଜ ହେବା ପରେ ଏକ ନାଳରୁ ଶବ ମିଳିବା ଘଟଣା ଉପରୁ ପରଦା ଉଠି ନଥିବା ବେଳେ ରେଙ୍ଗାଳି ଥାନା ଅଞ୍ଚଳରେ ନାବାଳକକୁ ଅପହରଣ ଉଦ୍ୟମ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।