ଗଂଜାମରେ ନାବାଳିକାକୁ ବଳି ପକାଇବା ପାଇଁ ଅପହରଣ ଉଦ୍ୟମ ପଣ୍ଡ, ତିନି ଗିରଫ

ଗୋଟିଏ ବାଇକ ଓ ୨ଟି ଖଣ୍ଡା ଜବତ, ୫ ଅଭିଯୁକ୍ତ ଫେରାର

ଶେରଗଡ଼: ଗଂଜାମ ଜିଲ୍ଲା ଶେରଗଡ଼ ବ୍ଲକର ଆସିକା ଥାନା ଅନ୍ତର୍ଗତ ଚଷାପିତଳ ଗ୍ରାମରେ ଜଣେ ନାବାଳିକାକୁ ବଳି ପକାଇବା ପାଇଁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଗୋଟିଏ ବାଇକ ଏବଂ ଦୁଇଟି ଖଣ୍ଡା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଚଷାପିତଳ ଗ୍ରାମର ଚିତ୍ରସେନ ତରାଇ, ପଞ୍ଚୁ ଗୌଡ଼ ଏବଂ ରାମଚନ୍ଦ୍ରପୁର ଗ୍ରାମର ସାଧୁ ଅମିୟ କୁମାର ସ୍ୱାଇଁ। ତେବେ ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

ଚଷାପିତଳ ଗ୍ରାମର ସ୍ୱରାଜ୍ୟ ଗୌଡ଼ଙ୍କ ଘରେ ତାଙ୍କ ବାପା ଏବଂ ଦୁଇ ଭଉଣୀ ରହୁଛନ୍ତି। ଗତ ତିନି ତାରିଖ ରାତିରେ ଚିତ୍ରସେନ ତରାଇ, ପଞ୍ଚୁ ଗୌଡ଼, ସାଧୁ ସ୍ୱାଇଁ ଏବଂ ସାଧୁର ପାଞ୍ଚ ଜଣ ସହଯୋଗୀ ସ୍ୱରାଜ୍ୟଙ୍କ ଘରକୁ ଯାଇ ତାଙ୍କ ଚତୁର୍ଥ ଭଉଣୀକୁ ଦେବା ପାଇଁ ଦାବି କରିଥିଲେ। ସେ ମନା କରିବାରୁ ୩୦ହଜାର ଟଙ୍କାରେ ମଧ୍ୟ କିଣିବାକୁ ଉଦ୍ୟମ କରିଥିଲେ। ଏଥିରେ ମଧ୍ୟ ବିଫଳ ହେବା ପରେ ଜୋର ଜବରଦସ୍ତ ଅପହରଣ କରି ବଳି ପକାଇବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକ ପ୍ରତିରୋଧ କରିବା ସହ ପୁଲିସକୁ ସୂଚନା ଦେବା ପରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚିଥିଲେ। ପୁଲିସ ଚିତ୍ରସେନ, ପଞ୍ଚୁ ଏବଂ ସାଧୁଙ୍କୁ ଗିରଫ କରିଥିବା ବେଳେ ସହଯୋଗୀମାନେ ଫେରାର ହୋଇ ଯାଇଥିଲେ।

ଅବିବାହିତା ମହିଳାଙ୍କୁ ବଳି ପକାଇଲେ କୋଟିପତି ହେବା ସୁନିଶ୍ଚିତ ବୋଲି ସୁରାଟରେ ଗୁଜବ ହେଉଥିବା ବେଳେ ତାହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ନାବାଳିକାକୁ ଅପହରଣ ଉଦ୍ୟମ ହେଉଥିବା ଜଣାପଡିଛି। ଅନ୍ୟପକ୍ଷରେ ନାବାଳିକାକୁ ଉଲଗ୍ନ କରି ତାନ୍ତ୍ରିକ ସହାୟତାରେ ହୋମ କାର୍ଯ୍ୟ ସମ୍ପାଦନ କଲେ ରାତାରାତି କୋଟିପତି ହେବା ସୁନିଶ୍ଚିତ ବୋଲି ଅଭିଯୁକ୍ତମାନେ ଭାବିଛନ୍ତି। ଘଟଣାର ଅଧିକ ତଦନ୍ତ ଚାଲିଛି ଏବଂ ତୁରନ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ତଦନ୍ତ କାରି ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର