ବଳି ପାଇଁ ନାବାଳିକାକୁ ଅପହରଣ : ଭାଇ ପାଖରୁ ଭଉଣୀକୁ ଛଡ଼ାଇନେଲେ, ୩ ଗିରଫ, ଖଣ୍ଡା, ବାଇକ୍ ଜବତ

ଗୁଣିଆ ସମେତ ୫ ଏବେ ବି ଫେରାର୍‌

ଶେରଗଡ଼ : ବଳି ପାଇଁ ଜଣେ ୧୨ ବର୍ଷର ନାବାଳିକାକୁ ଅପହରଣ ଉଦ୍ୟମ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଓ ଆସିକା ଥାନା ଅଧୀନ ଚଷାପିତଳ ଗ୍ରାମରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ହେଲେ ଠିକଣା ସମୟରେ ପୁଲିସ ଚଢ଼ଉ କରି ୩ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କଠାରୁ ଗୋଟିଏ ପଲ୍‌ସର୍ ବାଇକ୍ (ଓଡ଼ି-୧୯ଡି-୫୫୩୫) ଓ ଦୁଇଟି ଖଣ୍ଡା ଜବତ ହୋଇଥିବା ସୂଚନା ମିଳିଛି। ଗିରଫ ଅଭିଯୁକ୍ତମାନେ ହେ‌ଲେ ସେହି ଗ୍ରାମର ଚିତ୍ରସେନ ତରାଇ, ପଞ୍ଚୁ ଗୌଡ଼ ଏବଂ ରାମଚନ୍ଦ୍ରପୁର ଗ୍ରାମର ସାଧୁ ଓରଫ୍ ଅମିୟ କୁମାର ସ୍ୱାଇଁ। ଏଥିରେ ସଂପୃକ୍ତ ଗୁଣିଆ ସମେତ ୫ ଜଣ ଫେରାର୍ ହୋଇ ଯାଇଥିବାବେଳେ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି ବୋଲି ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦ‌େଇଛନ୍ତି।

ସୁରତ ଫେରନ୍ତା ଚିତ୍ରସେନ ଏହି ଯୋଜନାର ମାଷ୍ଟରମାଇଣ୍ଡ୍ ବୋଲି ପୁଲିସ କହିଛି। କୋଟିପତି ହେବା ଲକ୍ଷ୍ୟରେ ଚିତ୍ରସେନ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା। ନାବାଳିକାଙ୍କୁ ନେଇ ବଳି ପକାଇଲେ ରାତାରାତି ଧନ ସମ୍ପତ୍ତି ହୋଇଯିବ ବୋଲି ସୁରତରୁ ବିଦ୍ୟା ଶିଖି ଆସିଥିଲା ବୋଲି ପୁଲିସର ପ୍ରାଥମିକ ଜେରା ବେଳେ ମାନିଥିବା ଜଣାପଡ଼ିଛି। ସେହିପରି ଅଭିଯୁକ୍ତ ସାଧୁ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧ ମାମଲା ରହିଛି।

ଅଭିଯୋଗ ଅନୁସାରେ, ଚଷାପିତଳ ଗ୍ରାମର ସ୍ବରାଜ୍ୟ ଗୌଡ଼ଙ୍କ ଘରେ ତାଙ୍କ ବାପା ଓ ଦୁଇ ଭଉଣୀ ରହୁଛନ୍ତି। ଗତ ୩ ତାରିଖ ରାତିରେ ଚିତ୍ରସେନ ଏହି ଯୋଜନା କରିଥିଲା। ହିଞ୍ଜିଳି ନିକଟ ଏକ ନଦୀକୂଳକୁ ନେଇ ନାବାଳିକାକୁ ପୂଜାର୍ଚ୍ଚନା କରି ବଳି ଦେଲେ ଟଙ୍କା ମିଳିବ ବୋଲି ଚିତ୍ରସେନ ବିଶ୍ବାସ କରି ବ୍ଳୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା। ଏଥିପାଇଁ ସେ ନିଜେ, ପଞ୍ଚୁ ଏବଂ ସାଧୁ ଓ ତା’ର ପାଞ୍ଚ ଜଣ ସହଯୋଗୀ ସ୍ବରାଜ୍ୟଙ୍କ ଘରକୁ ଯାଇ ଚତୁର୍ଥ ନାବାଳିକା ଭଉଣୀକୁ ଦେବା ପାଇଁ ଧମକ ଦେଇଥିଲେ। ଭଉଣୀକୁ ଦେଲେ ୩୦ହଜାର ଟଙ୍କା ଦେବୁ ବୋଲି କହିଥିଲେ। କିନ୍ତୁ ସେ ମନା କରିବା ପରେ ନାବାଳିକାକୁ ଜୋର୍‌ ଜବରଦସ୍ତ ଖଣ୍ଡା ଓ କାତି ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହ ଆସିକା ପୁଲିସକୁ ସୂଚନା ଦେଇଥିଲେ। ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବ‌େ ଏକ ଟିମ୍ ପହଞ୍ଚି ଚିତ୍ରସେନ, ପଞ୍ଚୁ ଓ ସାଧୁକୁ କାବୁ କରି ନେଇଥିଲେ। କିନ୍ତୁ ସାଧୁର ୫ଜଣ ସହଯୋଗୀ ଓ ଗୁଣିଆ ବୋମା ମାଡ଼ କରିବା ଧମକ ଦେଇ ସେଠାରୁ ଚମ୍ପଟ୍ ମାରିଥିଲେ।

ଉଉଣୀକୁ ବଳି ଦେବାକୁ ନିଆ ଯାଉଥିବା ସଂକ୍ରାନ୍ତରେ ସ୍ବରାଜ୍ୟ ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୪୪୬ ଅନୁସାରେ ମାମଲା ରୁଜୁ ସହ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତ ଅଧିକାରୀ ଶ୍ରୀ ସାହୁ ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର