ତିଗିରିଆ ରାଜାଙ୍କ ପୁଅକୁ ଅପହରଣ ଉଦ୍ୟମ

ତିଗିରିଆ: ତିଗିରିଆର ଦିବଂଗତ ରାଜା ଶ୍ରୀଶ୍ରୀ ବ୍ରଜରାଜ କ୍ଷତ୍ରିୟ ବୀରବର ଚମୁପତି ସିଂହ ମହାପାତ୍ରଙ୍କ ପୁଅ ବିକ୍ରମପ୍ରତାପ ସିଂହଦେଓଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ ଉଦ୍ୟମ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ଏହାଜଣାପଡ଼ିବା ପରେ ତିଗିରିଆ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏ ସମ୍ପର୍କରେ ବିକ୍ରମପ୍ରତାପ ଆଜି ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରେ ବିକ୍ରମପ୍ରତାପ ସିଂହଦେଓ ନିଜ କାର୍‌ରେ ଗୋପୀନାଥପୁରଶାସନ ଛକ ଓ ବାଇପାସ୍‌ ଛକ ମଧ୍ୟବର୍ତ୍ତୀ କଳାପାଟ ଶିଳ୍ପ ତାଲିମ କେନ୍ଦ୍ରକୁ ଯାଉଥିଲେ। ରାସ୍ତାରେ ଦୁଇଜଣ ଯୁବକ ଶୋଇଥିବା ଦେଖି ସେ ଗାଡ଼ି ଅଟକାଇଥିଲେ। ଏହାପରେ ଦୁଇ ଯୁବକ ବିକ୍ରମପ୍ରତାପଙ୍କ ନିକଟରେ ପହଞ୍ଚି ଧମକଚମକ ଦେବା ସହ ଗାଡ଼ି ଚାବି ଛଡ଼ାଇ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ବିକ୍ରମପ୍ରତାପଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ନିଜ କାର୍‌ରେ କରଡ଼ାପଲ୍ଲୀ ଗ୍ରାମ ଆଡ଼କୁ ନେଇଯାଇଥିଲା। ଅନ୍ୟ ଯୁବକଜଣକ ବାଇକ୍‌ରେ କାର୍‌ର ପିଛା କରିଥିଲା। କରଡ଼ାପଲ୍ଲୀ ଗ୍ରାମର ମସଜିଦ ଛକ ନିକଟରେ ବିକ୍ରମପ୍ରତାପଙ୍କୁ ଜଣେ ବ୍ୟକ୍ତି ଦେଖି ଚିହ୍ନି ଦେଇଥିଲେ। ଏହା ଦେଖି ଦୁର୍ବୃତ୍ତ ତାଙ୍କୁ ଛାଡ଼ି ବାଇକ୍‌ରେ ପଳାଇ ଯାଇଥିଲେ ବୋଲି ଆଜି ବିକ୍ରମପ୍ରତାପ ତିଗିରିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଥାନା ଆଇଆଇସି ସୁଚିତ୍ରା ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ଶ୍ରୀମତୀ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର