କାର୍‌ ଚଢ଼ାଇଦେଲେ ଓକିଲ; ଶଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି, ଅଳ୍ପକେ ବର୍ତ୍ତିଲେ ଶ୍ୱଶୁର ଓ ଅନ୍ୟ ପଥଚାରୀ

ସମ୍ବଲପୁର ଏସ୍‌ପିଙ୍କ ବାସଭବନ ପାଚେରି ଭାଙ୍ଗିଲା, ପ୍ରବଳ ଛେଚାଖାଇ ପଞ୍ଚାନନ ଗିରଫ

ସମ୍ବଲପୁର : ସୋମବାର ଦିନ ସ୍ପଷ୍ଟ ଦିବାଲୋକରେ ନିଜ ଶଳା ଓ ଶ୍ବଶୁରଙ୍କ ଉପରେ କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଓକିଲ। ଶଳା ଗୁରୁତର ଆହତ ହୋଇଥିବା ବେଳେ ଶ୍ବଶୁର ଓ କେତେଜଣ ପଥଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କ କାର୍‌ ଧକ୍କାରେ ସମ୍ବଲପୁର ଏସ୍‌ପିଙ୍କ ବାସଭବନର ପାଚେରି ଭାଙ୍ଗିଯାଇଛି। ସମ୍ବଲପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚଳଚ୍ଚିତ୍ର ଦୃଶ୍ୟ ଭଳି ଏହିଭଳି ଘଟଣା ଘଟିଯାଇଛି। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡ଼ାକୁ କେନ୍ଦ୍ରକରି ଜଣେ ଓକିଲଙ୍କ ଏଭଳି କାଣ୍ଡକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଏହି ଓକିଲ ହେଲେ, ବୁର୍ଲା ପିଏଚ୍‌ଡି- ବିଏମ୍‌ସି କଲୋନି ନିବାସୀ ପଞ୍ଚାନନ ଦାଶ। ସମ୍ବଲପୁର ଟାଉନ ପୁଲିସ ତାଙ୍କୁ ଗିରଫ କରିଥିବା ବେଳେ ଜିଲ୍ଲା ଓକିଲ ସଂଘ ମଧ୍ୟ ତାଙ୍କୁ ସଦସ୍ୟତାରୁ ନିଲମ୍ବନ କରିଛି।

ସୂଚନା ଅନୁସାରେ ପଞ୍ଚାନନ ଓ ତାଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ରଙ୍କ ମଧ୍ୟରେ ଅନେକ ଦିନରୁ ଝଗଡ଼ା ଲାଗି ରହିଥିଲା। ଏବେ ବାପଘର ତାଳଚେର ଘଣ୍ଟପଡ଼ାରେ ରହୁଥିବା ଚିନ୍ମୟୀ ବୁର୍ଲା ଡିଏଭି ସ୍କୁଲରେ ପଢ଼ୁଥିବା ତାଙ୍କ ପିଲାଙ୍କ ପାଇଁ ବୁର୍ଲା ଆସିବାକୁ ଚାହୁଥିଲେ। ମାତ୍ର ପଞ୍ଚାନନ ତାଙ୍କୁ ଧମକ ଦେବାରୁ ସେ ସୋମବାର ଦିନ ତାଙ୍କ ବାପା ରାମଚନ୍ଦ୍ର ମହାପାତ୍ର ଓ ସଂପର୍କୀୟ ଭାଇ ସୌମ୍ୟରଂଜନ ଦାସଙ୍କ ସହିତ ଏ ସଂପର୍କରେ ଓକିଲ ସଂଘ ସଭାପତିଙ୍କ ସହିତ ଆଲୋଚନା କରିବାକୁ ସମ୍ବଲପୁର ଆସିଥିଲେ। କୌଣସି କାମରେ ବ୍ୟସ୍ତ ଥିବା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ମଧ୍ୟାହ୍ନ ୧୨ଟାରେ ଭେଟିବା ପାଇଁ କହିବାରୁ ସେମାନେ ଏସ୍‌ପିଙ୍କ କାର୍ଯ୍ୟାଳୟ ନିକଟ (କଚେରି ଛକ)ରେ ଅପେକ୍ଷା କରିଥିଲେ। ଏସଂପର୍କରେ ପଞ୍ଚାନନ ଜାଣିବା ପରେ ସେ କାର୍‌(ଓଡ଼ି୧୪ଏମ୍‌ ୦୩୪୪) ଚଢ଼ାଇ ହତ୍ୟା କରିବାକୁ ଯୋଜନା କରିଥିଲେ। ଦିନ ପ୍ରାୟ ୧୨ଟାରେ କଚେରି ପଟକୁ କାର୍‌ ଆଣି ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଥମେ ତାଙ୍କ ଶ୍ବଶୁରଙ୍କୁ ମଡ଼ାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ଜଣେ ବାଇକ୍ ଆରୋହୀ ଏଥିରେ ଆହତ ହୋଇଥିଲେ। ଏହାପରେ ପଞ୍ଚାନନ ଆଉଥରେ କାର୍‌କୁ ଦ୍ରୁତ ଗତିରେ ଆଣି କଚେରି ଛକର ଏସ୍‌ପିଙ୍କ ବାସଭବନ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ସୌମ୍ୟରଂଜନଙ୍କୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋର୍‌ରେ ହୋଇଥିଲେ ଯେ ଏସ୍‌ପିଙ୍କ ବାସଭବନର ପାଚେରି ଭାଙ୍ଗି ଯାଇଥିଲା। ସୌମ୍ୟରଂଜନ ପାଚେରି ସେପଟେ ଯାଇ ପଡ଼ିଥିଲେ। ସେ ଗୁରୁତର ଭାବେ ଆହତ ହୋଇଥିଲେ। ପାଚେରି ପାର୍ଶ୍ବରେ ରଖାଯାଇଥିବା ଏକ ବାଇକ୍ ବି ଚୂର୍‌ମାର ହୋଇଯାଇଛି। ଏ ନେଇ ପଞ୍ଚାନନଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଟାଉନ ଥାନା ଆଇପିସିର ଧାରା ୩୦୭, ୫୦୬ରେ କେସ୍ ନମ୍ବର ୨୭୪/୨୦୨୨ ରୁଜୁ କରି ପଞ୍ଚାନନଙ୍କୁ ଗିରଫ କରିଛି।

ଅନ୍ୟପକ୍ଷରେ କାର୍‌ ମଡ଼ାଇବା ପରେ ପଞ୍ଚାନନ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ସେଠାରେ ଉପସ୍ଥିତ ଲୋକେ ତାଙ୍କୁ କାବୁ କରିବା ସହ ପ୍ରବଳ ଛେଚିଥିଲେ। ଲୋକଙ୍କ ମାଡ଼ରେ ସେ ତଳେ ପଡ଼ିଯାଇଥିଲେ। ତା’ପରେ ସେଠାରେ କୌଶଳ କ୍ରମେ ଖସି ପଳାଇବା ସହ ଓକିଲ ସଂଘ ଅଫିସ ଭିତରକୁ ପଶିଯାଇଥିଲେ। ମିଛରେ ତାଙ୍କୁ କିଛି ଲୋକ ମାରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏକଥା ଶୁଣି ଓକିଲ ସଂଘର କେତେକ ସଭ୍ୟ ଘଟଣାସ୍ଥଳକୁ ଦୌଡ଼ିଥିଲେ। ଘଟଣା ବୁଝାବୁଝି କରିବାରୁ ପଞ୍ଚାନନ ଗାଡ଼ି ମଡ଼ାଇ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଶୁଣିଥିଲେ। ଏହାପରେ ଓକିଲ ସଂଘ ପକ୍ଷରୁ ପଞ୍ଚାନନଙ୍କୁ ଟାଉନ୍‌ ଥାନା ପୁଲିସ ଜିମା ଦିଆଯାଇଥିଲା।

ସମ୍ବନ୍ଧିତ ଖବର