ସମ୍ବଲପୁର: ସୋମବାର ସ୍ପଷ୍ଟ ଦିବାଲୋକରେ ଫିଲ୍ମ ଷ୍ଟାଇଲ୍ରେ କାର୍ ଚଢ଼ାଇ ନିଜ ଶଳା ଓ ଶ୍ବଶୁରଙ୍କୁ ଜଣେ ଓକିଲ ହତ୍ୟା ଉଦ୍ୟମ କରିଥିଲେ। ଘଟଣା ସମ୍ବଲପୁରରେ ଘଟିଥିଲା କିନ୍ତୁ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ସିସିଟିଭି ଫୁଟେଜ୍ରେ କଏଦ ହୋଇଥିବା ହତ୍ୟା ଉଦ୍ୟମର ଦୃଶ୍ୟ ଭାଇରାଲ୍ ହେବା ପରେ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ମାମଲାରେ ଟାଉନ୍ ଥାନା ପୁଲିସ ଅଭିଯୁକ୍ତ ଓକିଲ ପଞ୍ଚାନନ ଦାସକୁ ସୋମବାର ଗିରଫ କରିଥିବା ବେଳେ ମଙ୍ଗଳବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସମ୍ବଲପୁର ମଣ୍ଡଳ କାରାଗାର ଏବେ ପଞ୍ଚାନନର ନୂଆ ଠିକଣା ହୋଇଛି।
ଫିଲ୍ମ ଷ୍ଟାଇଲ୍ରେ ହୋଇଥିବା ଏହି ହତ୍ୟା ଉଦ୍ୟମ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟିଥିଲା। ଏହି ଘଟଣାପରେ ପୁଲିସ ବୁର୍ଲା ପିଏଚ୍ଡି- ବିଏମ୍ସି କଲୋନି ନିବାସୀ ଆଇନଜୀବୀ ପଞ୍ଚାନନ ଦାଶଙ୍କୁ ଗିରଫ କରିବା ପରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ମଧ୍ୟ ତାଙ୍କୁ ସଦସ୍ୟତାରୁ ନିଲମ୍ବନ କରିଥିଲା।
ସୂଚନାଯୋଗ୍ୟ, ପାରିବାରିକ କଳହରୁ ପଞ୍ଚାନନ ମାଡ଼ ମାରିବାରୁ ତାଙ୍କ ସ୍ତ୍ରୀ ଚିନ୍ମୟୀ ମହାପାତ୍ର ଗତ ଜାନୁଆରି ୨୪ ତାରିଖରେ ବୁର୍ଲା ଥନାରେ ଲିଖିତ ଅଭିଯୋଗ କରିଥିଲେ। ତାପରେ ଚିନ୍ମୟୀ ବାପଘର ତାଳଚେର ଘଣ୍ଟପଡ଼ାକୁ ଚାଲି ଯାଇଥିଲେ। ବୁର୍ଲା ଡିଏଭି ସ୍କୁଲରେ ପଢ଼ୁଥିବା ତାଙ୍କ ପିଲାଙ୍କ ପାଇଁ ସେ ବୁର୍ଲା ଆସିବାକୁ ଚାହୁଥିଲେ। କିନ୍ତୁ ତାଙ୍କ ସ୍ବାମୀ ଧମକ ଦେବାରୁ ସେ ବୁଝାମଣା ପାଇଁ ଓକିଲ ସଂଘର ସଭାପତିଙ୍କୁ ସାକ୍ଷାତ କରିବାକୁ ସୋମବାର ବାପା ରାମଚନ୍ଦ୍ର ମହାପାତ୍ର ଓ ସଂପର୍କୀୟ ଭାଇ ସୌମ୍ୟରଂଜନ ଦାସଙ୍କ ସହିତ ସମ୍ବଲପୁର ଆସିଥିଲେ। ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ପଞ୍ଚାନନ ପ୍ରଥମେ ରାମଚନ୍ଦ୍ରଙ୍କୁ କାର୍ ଚଢ଼ାଇବାକୁ ପ୍ରୟାସ କରି ବିଫଳ ହେବା ପରେ ୟୁଟର୍ନ ମାରି ଦ୍ରୁତଗତିରେ ଦ୍ବିତୀୟଥର ତାଙ୍କ ଶଳା ସୌମ୍ୟଙ୍କୁ ଧକ୍କା ଦେଇଥିଲା। ଏଥିରେ ଏସ୍ପିଙ୍କ ବାସଭବନର ପାଚେରି ଭାଙ୍ଗି ଯାଇଥିଲା।
ସବୁ ଅନ୍ଧାର ଦେଖାଯାଉଛି: ଚିନ୍ମୟୀ
ଯଦିଓ ମଙ୍ଗଳବାର ତୁରନ୍ତ ଭାଙ୍ଗିଥିବା ଏସ୍ପିଙ୍କ ପାଚେରି କାମ ଆରମ୍ଭ ହୋଇଯାଇଛି, କିନ୍ତୁ ଚିନ୍ମୟୀଙ୍କ ସଂସାର ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଦୁଇ ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ମୋ ଆଗରେ ଆସୁଥିବା ଚିନ୍ମୟୀ କହିଛନ୍ତି। କାଲି ପର୍ଯ୍ୟନ୍ତ ସବୁ କିଛି ଭୁଲି ପିଲା ଦୁଇଟି କେମିତି ବାପାର ସ୍ନେହ ଓ ଭଲପାଇବା ପାଇବେ ତାହା ଏକମାତ୍ର ଲକ୍ଷ୍ୟ ଥିଲା। ଯେଉଁଥି ପାଇଁ ଓକିଲ ସଂଘ ସଭାପତିଙ୍କ ସହ ଆଲୋଚନା କରିବାକୁ ବାପା ଓ ଭାଇଙ୍କ ସହ ସେ ସମ୍ବଲପୁର ଆସିଥିଲେ ବୋଲି କହିଛନ୍ତି। ହେଲେ କାଲିର ଘଟଣା ତାଙ୍କୁ ହତବାକ କରିଦେଇଥିଲା। ଏବେ କେବଳ ଅନ୍ଧକାର ମୟ ହିଁ ଦେଖାଯାଉଛି ବୋଲି ସେ କହିଛନ୍ତି।