ଦେବଗଡ଼: ଆଜି ଦେବଗଡ଼ ଥାନା ଅନ୍ତର୍ଗତ ଦୁଧିଆନାଳି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଧିଆନାଳିରେ ସାପ୍ତାହିକ ବଜାର ଚାଲିଥିବା ବେଳେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ବାରିକ ଉକ୍ତ ଗ୍ରାମର ଜଣେ ଯୁବକଙ୍କୁ ଖୁର ସାହାଯ୍ୟରେ ଆକ୍ରମଣ କରି ଜୀବନରୁ ମାରିବାକୁ ଉଦ୍ୟମ କରିଥିଲେ। ଖୁରରେ ଯୁବକଙ୍କ ତଣ୍ଟି କାଟି ଦେଇଥିବା ବେଳେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୧ଟା ସମୟରେ ଦୁଧିଆନାଳି ଗ୍ରାମରେ ସାପ୍ତାହିକ ବଜାର ବସିଥିବା ବେଳେ ବଜାରକୁ ସଉଦା କିଣିବା ପାଇଁ ଉକ୍ତ ଗ୍ରାମର ଅଗସ୍ତି ସାହୁଙ୍କ ପୁଅ ଟୁଲୁ ସାହୁ(୨୪)ନିଜ ବାଇକ୍ ଯୋଗେ ଆସିଥିଲେ। ପୂର୍ବରୁ ସେଠାରେ ଅପେକ୍ଷା କରିଥିବା ଖଲିନାଳି ଗ୍ରାମର କ୍ଷୀର ବସନ୍ତରାଙ୍କ ପୁଅ ରାଜେଶ ବସନ୍ତରା ସେଲୁନରେ ବ୍ୟବହୃତ ଏକ ଖୁରରେ ଟୁଲୁଙ୍କ ତଣ୍ଟି କାଟି ଦେଇଥିଲେ।
/sambad/media/post_attachments/wp-content/uploads/2020/03/Deogarh-Police-Station-odisha-police.jpg)
ଏହାଫଳରେ ଟୁଲୁଙ୍କ ଦେହରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା ଏବଂ ଟୁଲୁ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତା’ପରେ ସେମାନେ ଏନେଇ ଦେବଗଡ଼ ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଦେବଗଡ଼ ଥାନା ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ହତ୍ୟା ଉଦ୍ୟମ କରିଥିବା ରାଜେଶ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ତା’ଙ୍କୁ ଧରିବାକୁ ଉଦ୍ୟମ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ଉଦ୍ୟମ ହୋଇଥିବା କୁହାଯାଉଛି।