ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା ଉଦ୍ୟମ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଲୋକେ ଆତଙ୍କ ମଧ୍ୟରେ ରହିଛନ୍ତି। ନିକଟରେ ବେଲପଡ଼ା ବ୍ଲକ୍‌ ବାଗଦୋର ସମିତି ସଭ୍ୟାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ବେଳେ ଶୁକ୍ରବାର ରାତିରେ ସଦର ଥାନା ଅନ୍ତର୍ଗତ ମାଗୁରବେଡ଼ା ସମିତି ସଭ୍ୟ ଦେବାଶିଷ ଦାସଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ହୋଇଛି। ହତ୍ୟା କରିବାକୁ ଆସିଥିବା ଯୁବକ ଗଡ଼ଶଙ୍କର ଡୁଙ୍ଗୁରିପାଲିର ଶତ୍ରୁଘ୍ନ ପଧାନକୁ ଗ୍ରାମବାସୀ କାବୁ କରି ପୁଲିସର ଜିମା ଦେଇଛନ୍ତି। ତା ନିକଟରୁ ଏକ ସିଙ୍ଗଲ ବ୍ୟାରେଲ ପୁରୁଣା ବନ୍ଧୁକ ମଧ୍ୟ ଜବତ ହୋଇଛି।

ପୁଲିସରେ ହୋଇଥିବା ଅଭିଯୋଗ ଅନୁସାରେ, ଶୁକ୍ରବାର ବ୍ରାହ୍ମଣୀଡୁଙ୍ଗୁରି ଗାଁରେ ଦଣ୍ଡନାଚ ହେଉଥିଲା। ରାତି ୧୦ଟାରେ ଗାଁ ନିକଟସ୍ଥ ଏକ ଖଳାରେ ମାଗୁରବେଡ଼ା ସମିତି ସଭ୍ୟ ଦେବାଶିଷ ଦାସ ଓ ତାଙ୍କ ଦୁଇଜଣ ସାଙ୍ଗ ବସିଥିଲେ। ଏହି ସମୟରେ ହଠାତ୍‌ ଶତ୍ରୁଘ୍ନ ଏକ ବନ୍ଧୁକଧରି ସେଠାରେ ପହଞ୍ଚି ଶ୍ରୀ ଦାସଙ୍କୁ ଲକ୍ଷ୍ୟ କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ ଥିଲା। ହେଲେ ତାହା ଶ୍ରୀ ଦାସଙ୍କ ଦେହରେ ବାଜି ନଥିଲା। ଦ୍ୱିତୀୟ ଗୁଳି ଭରିବା ବେଳେ ତାକୁ ଦେବାଶିଷ ଓ ତାଙ୍କ ସାଙ୍ଗମାନେ କାବୁ କରିଥିଲେ।

ପରେ ଗ୍ରାମବାସୀ ପହଞ୍ଚି ବନ୍ଧୁକ ଛଡ଼ାଇବା ସହିତ ଉତ୍ତମମଧ୍ୟମ ଦେଇ ଏକ ଖୁଣ୍ଟରେ ବାନ୍ଧିଦେଇଥିଲେ ଓ ସଦର ପୁଲିସକୁ ଖବର କରିଥିଲେ। ପୁଲିସ ପହଞ୍ଚି ବନ୍ଧୁକ ଜବତ କରିବା ସହ ଶତ୍ରୁଘ୍ନକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲା। ସମିତି ସଭ୍ୟ ଶ୍ରୀ ଦାସଙ୍କ ଏତଲାକୁ ଭିତ୍ତିକରି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁରହିଛି ବୋଲି ଏସ୍‌ଡିପିଓ ତୋଫାନ ବାଗ କହିଛନ୍ତି। କିଛିଦିନ ତଳେ ବେଲପଡ଼ା ବ୍ଲକ୍‌ର ଜଣେ ସମିତି ସଭ୍ୟଙ୍କ ସ୍ୱାମୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ମଧ୍ୟ ସେହି ଭଳି କିଛି ଷଡ଼୍‌ଯନ୍ତ୍ର ଥିବା ସନ୍ଦେହ କରାଯାଉଛି। ତେଣୁ ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର