କୋଟଗଡ଼ : କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଝରିଆପଦାରେ ରହୁଥିବା ଗେଟାବାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପଦ୍ମଚରଣ ରଥଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ ହୋଇଛି। ଏଥିରେ ପଦ୍ମଚରଣ ଗୁରୁତର ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ କେସ୍ ନଂ ୩/୨୩ରେ ମାମଲା ରୁଜୁ କରିଛି। ଘଟଣା ପରେ ଅଭିଯୁକ୍ତ କୁନା ସାହୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ପରକୀୟା ପ୍ରୀତି କାରଣରୁ ଅଭିଯୁକ୍ତ କୁନା ଏଭଳି କାଣ୍ଡ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ପ୍ରକାରେ, ଆଜି ସକାଳ ୯ଟା ବେଳେ ପଦ୍ମଚରଣ ନିଜ ଘର ଆଗରେ ତାଙ୍କ ପୁଅକୁ ଧରି ଠିଆ ହୋଇଥିବା ବେଳେ ସେହି ସାହିର କୁନା ହଠାତ ଆସି ଟାଙ୍ଗିଆରେ ଆକ୍ରମଣ କରିଥିଲା। ଏହି ସମୟରେ ପାଖରେ ଥିବା ଚିକୁ ମିଶ୍ର ନାମକ ଯୁବକ କୁନାକୁ ଅଟକାଇବା ସହ ଟାଙ୍ଗିଆକୁ ଛଡ଼ାଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ପଦ୍ମଚରଣଙ୍କୁ ଉଦ୍ଧାର କରି କୋଟଗଡ଼ ସରକାରୀ ଡାକ୍ତରଖାନାକୁ ଆଣିଥିଲେ। ଅଭିଯୋଗ ପାଇ ଘଟଣାସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଲଳିତ ମୋହନ ସାଗର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ କୁନାର ପତ୍ନୀଙ୍କ ସହ ପଦ୍ମଚରଣଙ୍କ ଅନୈତିକ ସମ୍ପର୍କକୁ ନେଇ ବିବାଦ ଥିଲା ଓ କୁନାଙ୍କ ପରିବାର ଲୋକେ ବହୁଦିନ ହେବ ବାରଣ କରି ଆସୁଥିଲେ। ଏହି କାରଣରୁ କୁନା ପଦ୍ମଚରଣଙ୍କୁ ଆକ୍ରମଣ ହୋଇଥିବା କୁହାଯାଇଛି।