ସ୍ତ୍ରୀକୁ ଗୋଡ଼ାଇଗୋଡ଼ାଇ ହାଣିଲା ସ୍ବାମୀ

ଦାନଗଦୀ : ଯାଜପୁରରୋଡ ଥାନା ଅନ୍ତର୍ଗତ ଦାନଗଦୀସ୍ଥିତ ତ୍ରିଜଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ଯୁବକ ତାର ପତ୍ନୀଙ୍କୁ କଟୁରିରେ ଗୋଡ଼େଇଗୋ‌ଡ଼େଇ ହାଣିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ଧୂଳିଗଡ଼ ଗ୍ରାମର ନାରାୟଣ ପାତ୍ରଙ୍କ ଝିଅ ସୁଭଦ୍ରା। ଅଭିଯୁକ୍ତ ସ୍ବାମୀ ଦାନଗଦୀର ନଟ ପାତ୍ରଙ୍କ ପୁଅ ଟୁନା। ଘଟଣା ଅନୁଯାୟୀ, ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ବାପଘରେ ରହୁଥିବା ସୁଭଦ୍ରା ଆଜି ଆଧାରକାର୍ଡ ସଂଯୋଗ ପାଇଁ ତ୍ରିଜଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ଖବର ପାଇ ଟୁନା ସେଠାରେ ଏକ କଟୁରି ଧରି ପହଞ୍ଚିଥିଲା। ସୁଭଦ୍ରାଙ୍କୁ ସେଠାରେ ଦେଖିବା ପରେ ଆକ୍ରମଣ ପାଇଁ ଗୋଡ଼ାଇ ଥିଲା।

ଜୀବନ ବିକଳରେ ଦୌଡ଼ୁଥିବା ସୁଭଦ୍ରାଙ୍କୁ ଗୋଡ଼ାଇଗୋଡ଼ାଇ କଟୁରିରେ ହାଣି ପକାଇଥିଲା। ନିକଟରେ ଥିବା ଲୋକମାନେ ଟୁନାକୁ ପ୍ରତିରୋଧ କରିଥିଲେ। ହେଲେ ଅଭିଯୁକ୍ତ ସେମାନଙ୍କୁ ମଧ୍ୟ ଧମକ ଦେବା ସହ ଆକ୍ରମଣ ଉଦ୍ୟମ କରିଥିଲା। ସୁଭଦ୍ରାଙ୍କ ସାଙ୍ଗରେ ଆସିଥିବା ଟମକା ଅଞ୍ଚଳରେ ତ୍ରିଲୋଚନ ଜାରିକା(୩୫)ଙ୍କୁ ମଧ୍ୟ ଅଭିଯୁକ୍ତ ଆକ୍ରମଣ କରିଥିଲା। ଫଳରେ ଲୋକମାନେ ଦାନଗଦୀ ପାଣ୍ଡିକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ଟୁନା ସେଠାରୁ ଚମ୍ପଟ ମାରିଥିଲା। ଗୁରୁତର ଅବସ୍ଥାରେ ସୁଭଦ୍ରାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପତିପତ୍ନୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହେବାରୁ ସୁଭଦ୍ରା କିଛିବର୍ଷ ହେଲା ବାପଘରେ ରହୁଥିଲେ। ସେମାନଙ୍କର ଦୁଇଟି ପୁଅଝିଅ ଅଛନ୍ତି। ଆଜି ସୁଭଦ୍ରା ଆଧାରକାର୍ଡ ସଂଯୋଗ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଦୁଇହାତ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ସମ୍ବନ୍ଧିତ ଖବର