ଜଗତସିଂହପୁର : ପାରାଦୀପ ସମୁଦ୍ର କୂଳରେ ଜଣେ ୯ ବର୍ଷର ଛାତ୍ରୀକୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଗତ ବର୍ଷ ୧୦ମ ପାସ୍ କରିବା ପରେ ବର୍ତ୍ତମାନ ଆଇଟିଆଇ ପାଠ ପଢ଼ୁଥିବା ଜଣେ ନାବାଳକ ଏମିତି କାଣ୍ତ କରିଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଉକ୍ତ ଛାତ୍ରଙ୍କୁ କିଛି ସ୍ଥାନୀୟ ଯୁବକ କାବୁ କରିନେଇ ଥାନା ଜିମା ଦେଇଛନ୍ତି। ଉଭୟ ଛାତ୍ର ଓ ଛାତ୍ରୀ ନୂଆବଜାରରେ ରୁହନ୍ତି। ଏହି ଘଟଣା ଘଟୁଥିବା ସମୟରେ ଛାତ୍ରଙ୍କୁ କାବୁ କରିଥିବା ଯୁବକ ଏହାକୁ ମୋବାଇଲରେ ରେକର୍ଡିଂ କରିଛନ୍ତି। ଏହା ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ମଧ୍ୟ ଜଣାପଡ଼ିଛି। ଏହି ଘଟଣା ଜାଣିବା ପରେ ଭିଡିଓ ଭାଇରାଲ ନ କରିବା ପାଇଁ ପୁଲିସ କିଛି ଯୁବକଙ୍କୁ ଫୋନ୍ କରି ତାଗିଦ କରିଛି। ଯେହେତୁ ଦୁଇ ଜଣ ଯାକ ନାବାଳକ ଓ ନାବାଳିକା, ସେଥିପାଇଁ ପୁଲିସ ଏହାକୁ ବେଶ୍ ସତର୍କତାର ସହ ତଦନ୍ତ ଚଳାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟା ସମୟରେ ଏହି ୯ ବର୍ଷର ଛାତ୍ରୀଙ୍କୁ ସାଥୀରେ ଧରି ଛାତ୍ର ଜଣକ ସମୁଦ୍ର କୂଳରେ ଥିବା ଝାଉଁ ଜଙ୍ଗଲକୁ ଯାଉଥିଲେ। ଏହି ସମୟରେ ନିକଟରେ କିଛି ଯୁବକ ବସିଥିଲେ। ଛାତ୍ର ଜଣକ ଛୋଟ ଝିଅଟିକୁ ଜଙ୍ଗଲ ଭିତରକୁ ନେଉଥିବା ଦେଖି ସେମାନଙ୍କର ସନ୍ଦେହ ହୋଇଥିଲା। ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ଦେଖିଲେ, ଛୋଟ ଝିଅଟିର ବସ୍ତ୍ର ଖୋଲି ଛାତ୍ର ଜଣକ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଛି। ସେମାନେ ଘଟଣାସ୍ଥଳରେ ପହଞ୍ଚି ଛୋଟ ଝିଅଟିକୁ ଉଦ୍ଧାର କରି ଛାତ୍ରଙ୍କୁ କାବୁ କରି ନେଇଥିଲେ। ପରେ ଜଟାଧାରୀ ମୁହାଣ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଥାନାକୁ ଆଣିଥିଲା ଏବଂ ଉଭୟ ପରିବାରବର୍ଗଙ୍କୁ ଥାନାକୁ ଡାକି ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୁଲିସ କି ପ୍ରକାର ପଦକ୍ଷେପ ନେବ, ତାହା ସ୍ପଷ୍ଟ କରୁନାହିଁ। ଅନ୍ୟପଟେ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଛାତ୍ରଙ୍କ ବାପା କହୁଛନ୍ତି। ତାଙ୍କ କହିବା ଅନୁଯାୟୀ, ଦୁଷ୍କର୍ମ ଉଦ୍ୟମ କଥା ସମ୍ପୂର୍ଣ୍ଣ ମିଥ୍ୟା। ଓଲଟା ଛାତ୍ରୀଙ୍କ ପରିବାର ଆମର ଭଲ ପଡୋଶୀ। ଛାତ୍ରୀଙ୍କ ମା’ ତାଙ୍କ ଝିଅକୁ ମୋ ପୁଅ ସହ ଶୌଚ ପାଇଁ ପଠାଇଥିଲେ ବୋଲି ସେ କହିଛନ୍ତି। ମାତ୍ର ସମ୍ପୂର୍ଣ୍ଣ ଘଟଣା ଅତ୍ୟନ୍ତ ରହସ୍ୟଜନକ ହୋଇପଡ଼ିଛି। ଏ ନେଇ ପୁଲିସ ଆଦୌ ମୁହଁ ଖୋଲୁ ନାହିଁ।