ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅଞ୍ଚଳରେ ଜଣେ ନାବାଳିକା (୧୦ ବର୍ଷ)ଙ୍କୁ ଅପହରଣ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଯୁବକକୁ ଗ୍ରାମବାସୀ ଅଟକ ରଖି ପୁଲିସ୍ ହାତରେ ଜିମା ଦେଇଛନ୍ତି। ପ୍ରାପ୍ତ ସୂଚନାନୁସାରେ ବେଡ଼ାଗାଁ ପଞ୍ଚାୟତ ବୋଲେନଭଟାରେ ମଙ୍ଗଳବାର ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହେଉଥିଲା। ଏହା ଦେଖିବାକୁ ବିଳମ୍ବିତ ରାତିରେ ନାବାଳିକା ଜଣକ ବାପା ଓ ମା’ଙ୍କ ସହ ସେଠାକୁ ଯାଉଥିଲେ। ତେବେ ବାଟରେ ଗୁଣ୍ଡରୀ ପଞ୍ଚାୟତ ବଡ଼ ଜାମକଣା ଗାଁ’ର ଅଶ୍ବିନୀ ବେନୁଆ (୨୫) ହଠାତ୍ ପଛପଟୁ ଆସି ଝିଅଟିକୁ ପାଟିରେ ହାତ ଦେଇ ଟେକି ନେଉଥିଲା।
କିନ୍ତୁ ଝିଅଟି ଚିତ୍କାର କରିବାରୁ ବାପା ପିଛା କରି ଅଶ୍ବିନୀକୁ କାବୁ କରି ନେଇଥିଲେ। ମାତ୍ର ସେ ଏକ ପଥର ମାରି ଖସିଯିବାକୁ ଉଦ୍ୟମ କରିବା ବେଳେ ପଥର ବାଜି ଝିଅର ବାପାଙ୍କ ଆଖି ପତା ଫାଟି ଯାଇଥିଲା। ତଥାପି ସେ ଅଶ୍ବିନୀକୁ ଜାବୁଡ଼ି ଧରି ପାଟି କରିବାରେ ଆଖପାଖରେ ଥିବା ଗାଁ’ ଲୋକେ ପହଞ୍ଚି ତାକୁ କାବୁ କରିବା ସହ ରାତି ସାରା ଗାଁ’ରେ ଅଟକ ରଖିଥିଲେ। ବୁଧବାର ସକାଳେ ଖବର ପାଇ ପୁଲିସ୍ ପହଞ୍ଚି ଅଶ୍ବିନୀକୁ ଧରି ଥାନାକୁ ନେଇଥିବା ଜଣାପଡ଼ିଛି। ତେବେ ଅଶ୍ବିନୀ ନାବାଳିକାଙ୍କୁ କାହିଁକି ଉଠାଇ ନେଉଥିଲା କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ଏ ନେଇ ଥାନାଧିକାରୀ ମମତା ହେମ୍ରମ୍ଙ୍କୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ୍ ନ ଉଠାଇବାରୁ ପ୍ରତିକ୍ରିୟା ନିଆଯାଇ ପାରିନାହିଁ।
ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୧୬ ତାରିଖରେ ଲାଞ୍ଜିଗଡ଼ ବ୍ଲକ୍ ବେନଗାଁ ପଞ୍ଚାୟତ ଅଞ୍ଚଳର ୨ ଜଣ ନାବାଳିକା ଓ ଜଣେ ଯୁବତୀ ବେନଗାଁରେ ହେଉଥିବା ମା’ ତାରିଣୀ ଯାତ୍ରାରେ ନାଟକ ଦେଖି ରାତିରେ ଫେରୁଥିଲେ। ତେବେ ପାଜିବାହାଲି ଗାଁର ୫ ଜଣ ଯୁବକ ଉକ୍ତ ୨ ଜଣ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ଯୁବତୀ ଜଣକ ବିଜେପୁର ଥାନାରେ ଏତଲା ଦେବା ପରେ ପୁଲିସ୍ ଜଣେ ନାବାଳକ ସମେତ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ବର୍ତ୍ତମାନ ଉକ୍ତ ଅଭିଯୁକ୍ତମାନେ ଜେଲରେ ଥିବା ବେଳେ ପୀଡ଼ିତାଙ୍କ ପରିବାର ସେମାନଙ୍କୁ ଫାଶି ଦେବାକୁ ଦାବି କରିଛନ୍ତି। ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ମାତ୍ର ୨୫ ଦିନ ପରେ ପୁଣି ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।