ଗଞ୍ଜାମ : ଗଞ୍ଜାମ-ପୁରୀ ଜିଲ୍ଲା ସୀମାନ୍ତ ଇଲାକାରେ ସ୍ପଷ୍ଟ ଦିବାଲୋକରେ ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଛି। ତେବେ ନାଟକୀୟ ଢଙ୍ଗରେ ରମ୍ଭା ଥାନା ପୁଲିସ ଏହାକୁ ପଣ୍ଡ କରିଛି। ପୁଲିସ ବାହିନୀ ଗୋଡ଼ାଇ ପୁରୀ କୃଷ୍ଣପ୍ରସାଦ ରାସ୍ତାରେ ଦୁଇ ଅପହରଣକାରୀଙ୍କୁ ମାଡ଼ି ବସିବା ସହ ଛାତ୍ରୀଙ୍କୁ ଉଦ୍ଧାର କରିଛି। ଅନ୍ୟ ତିନି ଜଣ ଖସି ଯାଇଛନ୍ତି।

Advertisment

ଗିରଫ ଅଭିଯୁକ୍ତମାନେ ହେଲେ କୃଷ୍ଣପ୍ରସାଦ ଥାନା ପ୍ରୟାଗୀର ଅକ୍ଷୟ ଗୌଡ଼ ଓ ବାବୁଲା ଗୌଡ଼ ବୋଲି ପୁଲିସ କହିଛି। କେସ୍ ନମ୍ବର ୫୮୫/୨୨ରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସୂଚନା ଅନୁସାରେ, ପୁରୀ ଜିଲ୍ଲା କୃଷ୍ଣପ୍ରାସାଦ ବ୍ଲକ୍‌ ସୀମାନ୍ତ କନ୍ଦାଖାଇ କଲେଜରେ ରମ୍ଭା ଥାନା ପ୍ରୟାଗୀ ଗ୍ରାମର ଜଣେ ନାବାଳିକା ଯୁକ୍ତଦୁଇ ପ୍ରଥମବର୍ଷର କଳା ବିଭାଗରେ ପଢ଼ୁଛନ୍ତି। ଗୁରୁବାର ଦିନ ଛାତ୍ରୀ ଜଣକ କଲେଜ ଯିବା ସମୟରେ ପ୍ରୟାଗୀ-କୃଷ୍ଣପ୍ରସାଦ ବ୍ରିଜ୍‌ ନିକଟରେ ପ୍ରାୟ ୫ଜଣ ଯୁବକ ତାଙ୍କୁ ଅଟକାଇ ଥିଲେ। ଅକ୍ଷୟ ଓ ତା’ର ସହଯୋଗୀମାନେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଖବର ପାଇ ରମ୍ଭା ଥାନା ଅଧିକାରୀ ସ୍ୱରୂପ କିଷାନ ଓ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀଙ୍କ ନେତୃତ୍ବରେ ଏକ ଟିମ୍‌ ସେଠାରେ ଚଢ଼ଉ କରିଥିଲା। ପୁଲିସ ଅକ୍ଷୟ ଓ ବାବୁଲାକୁ ଗୋଡ଼ାଇ କାବୁ କରିଥିବା ବେଳେ ଅନ୍ୟ ୩ଜଣ ସାଇବ କେନାଲ ପାର୍ଶ୍ବ ଦେଇ ଫେରାର୍‌ ହୋଇଯିବାରେ ସକ୍ଷମ ହୋଇଥିଲେ।

ଅନ୍ୟପକ୍ଷରେ, ନାବାଳିକା ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରିଥିଲା। ଖଲ୍ଲିକୋଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ତାଙ୍କର ବୟାନ ରେକର୍ଡ଼ କରାଯାଇଥିବା ଜଣାପଡ଼ିଛି।