ଯୁବ ଠିକାଦାରଙ୍କୁ ଅପହରଣ ଉଦ୍ୟମ, ଫାଙ୍କା ଗୁଳିକରି ଗାଡ଼ି ନେଇ ଫେରାର୍

ଢେଙ୍କାନାଳ : ଢେଙ୍କାନାଳ ସହରର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ଠିକାଦାର ତଥା କାମାକ୍ଷାନଗର ବ୍ଲକ୍‌ ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ଚରଣ ସାହୁଙ୍କୁ ଅପହରଣ ଉଦ୍ୟମ ହୋଇଛି।

ଆଜି ସନ୍ଧ୍ୟାରେ କେତେକ ଦୁର୍ବୃତ୍ତ ତାଙ୍କୁ ଅପହରଣ କରିବାକୁ ଉଦ୍ୟମ କରିଥିଲେ। ଏପରିକି ଗୁଳିଚାଳନା କରିବା ସହ ତାଙ୍କୁ ଜୋରଜବରଦସ୍ତ ଗାଡ଼ି ଭିତରକୁ ନେଇ ପଳାଇବାକୁ ଉଦ୍ୟମ କରିଥିଲେ। ତେବେ, ଠିକାଦାର କାହ୍ନୁ କୌଶଳ କ୍ରମେ ସେମାନଙ୍କ କବଳରୁ ଖସି ଆସି ପୂର୍ତ୍ତ କାର୍ଯ୍ୟାଳୟକୁ ଦୌଡ଼ି ପଳାଇଥିଲେ। ଅନ୍ୟପକ୍ଷରେ, ଗୁଳିଚାଳନା ଶବ୍ଦ ଶୁଣି ଅଞ୍ଚଳବାସୀ ଘଟଣାସ୍ଥଳକୁ ଚାଲି ଆସିବାରୁ ଦୁର୍ବୃତ୍ତମାନେ ଠିକାଦାର କାହ୍ନୁଙ୍କ ଗାଡ଼ିକୁ ନେଇ ଫେରାର୍ ହୋଇଯାଇଛନ୍ତି। ଖବରପାଇ ଟାଉନ୍ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କାହ୍ନୁଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହିତ ଘଟଣାସ୍ଥଳରୁ ଏକ ଖୋକାକୁ ମଧ୍ୟ ଜବତ କରିଛି।

ପ୍ରକାଶଥାଉକି, ଗତ ୨ମାସ ତଳେ ରାତିରେ ଶ୍ରୀ ସାହୁଙ୍କ ଘର ପାଖରେ ତାଙ୍କ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା। ତେବେ, ଖବର ଲେଖା ହେବା ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କ ଖୋଜ୍ ଖବର ମିଳିପାରି ନଥିବା ବେଳେ ପୁଲିସ୍‌ ତଦନ୍ତ ଜାରି ରଖିଛି। ରାତି ୧୦ ଟା ସୁଦ୍ଧା ଥାନାରେ ଅଭିଯୋଗ କେହି କରି ନଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର