ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ମୁମୂର୍ଷୁ ଅବସ୍ଥାରେ ଯୁବତୀ ଉଦ୍ଧାର

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିବା ଓ ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମର ଯୁବତୀ ଓ ଦୋଲଗୁଡା ଗ୍ରାମର ଡମ୍ବରୁ ଗୌଡ଼ ମଧ୍ୟରେ ଗତ ୫ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା। ଅଭିଯୋଗ ଅନୁସାରେ ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ଡମ୍ବରୁ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଅନ୍ୟ ପକ୍ଷରେ ପୁଅ ଅନ୍ୟ ଜାତିର ହୋଇଥିବାରୁ ଝିଅ ଓ ତାଙ୍କ ପରିବାର ବିବାହକୁ ମନା କରୁଥିଲା ସୁଦ୍ଧା ପୁଅ ବିବାହ ପାଇଁ ଯୁବତୀଙ୍କୁ ଚାପ ପକାଉଥିଲେ। ଗତ ୩୧ ତାରିଖରେ ଡମ୍ବରୁ ଯୁବତୀଙ୍କୁ ପଳେଇକି ବିବାହ କରିବା ପାଇଁ ପ୍ରଲୋଭିତ କରିଥିଲା।

ଯୁବତୀ ଜଣକ ପ୍ରମିକଙ୍କ କଥାରେ ପ୍ରଲୋଭିତ ହୋଇ ରାତିରେ ଟଙ୍କା ଧରି ଘରୁ ବାହାରି ଯାଇଥିଲେ। ତାସିଗୁଡା ମଦଭାଟି ନିକଟରେ ଦୁହେଁ ବସିଥିଲେ ଓ ପ୍ରେମିକ ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଏକ ଲୁହାରଡ୍‌ରେ ଆକ୍ରମଣ କରିଥିଲା। ଯୁବତୀଙ୍କ ଜଣକ ଚେତାଶୂନ୍ୟ ହେବା ଫଳରେ ମରିଯାଇଥିବା ଭାବି ପ୍ରେମିକ ଡମ୍ବରୁ ସେଠାରୁ ଫେରାର ହୋଇଯାଇଥିଲା। ସକାଳ ହେବା ପରେ ଯୁବତୀଙ୍କୁ ଲୋକେ ଥୁଆମୂଳ ରାମପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ପରେ ପରିବାର ଲୋକେ ଚିକିତ୍ସା ପାଇଁ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରିଛନ୍ତି। ଏନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ପକ୍ଷରୁ କେସ ନଂ ୫୯/୨୧ ଦଫା ୪୧୭, ୩୨୩, ୪୯୩, ୩୦୭ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ପ୍ରେମିକ ଡମ୍ବରୁ ମଧ୍ୟ ଗୁରୁତର ଭାବେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଡମ୍ବରୁକୁ କିଏ ଓ କାହିଁକି ଆକ୍ରମଣ କଲା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର