ଦେଓଗାଁ: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ରବିବାର ରାତିରେ ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ବାବିଜୋର ଗାଁରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବରଙ୍କୁ କନ୍ୟାପକ୍ଷ ବରଣିି କରୁଥିବା ସମୟରେ ହତ୍ୟା ଉଦ୍ୟମ କରାଯାଇଥିଲା। ସୌଭାଗ୍ୟବଶତଃ ବର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଧରିଛି। ସେମାନଙ୍କ ନିକଟରୁ ଦେଶୀବନ୍ଧୁକ ସହ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରିଛି। ଜମିବାଡ଼ି ବିବାଦକୁ ନେଇ ବରଙ୍କ ସଂପର୍କୀୟ ଭିଣୋଇ ତାଙ୍କୁ ହତ୍ୟା କରିବା ପାଇଁ ଏମାନଙ୍କୁ ସୁପାରି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ବରପିତା ଓ କନ୍ୟାଙ୍କ ଭିଣୋଇଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।
ସଂପର୍କୀୟ ଭିଣୋଇ ଦେଇଥିଲେ ସୁପାରି
ଦେଶୀବନ୍ଧୁକ ସହ ମାରଣାସ୍ତ୍ର ଜବତ
୭ ଗିରଫ, ୩ ଫେରାର୍
ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବାବିଜୋର ଗାଁରେ ଗାଈବାହାଲ ଗାଁର ନେତ୍ରାନନ୍ଦ ପଧାନଙ୍କ ପୁଅ ରାଜକୁମାରଙ୍କ ବାହାଘର ସ୍ଥିର ହୋଇଥିଲା। ଗତ ରବିବାର ରାତିରେ ବାବିଜୋର ଗାଁକୁ ବରଯାତ୍ରୀ ଦଳ ଯାଇଥିଲେ। କନ୍ୟାଘର ଲୋକେ ବରକୁ ବରଣି କରୁଥିବା ସମୟରେ କିଛି ଦୁର୍ବୃତ୍ତ ଆସି ଘେରି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦେଶୀବନ୍ଧୁକ ବାହାର କରି ବରବେଶରେ ଥିବା ରାଜକୁମାରଙ୍କୁ ମାରିବା ପାଇଁ ଲକ୍ଷ୍ୟ କରିଥିଲା। କନ୍ୟାପକ୍ଷର ଜଣେ ବ୍ୟକ୍ତି ହଠାତ୍ ତା’କୁ କାବୁ କରି ବନ୍ଧୁକ ଛଡ଼ାଇ ନେଇଥିଲେ। ଗାଁ ଲୋକେ ମଧ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ୮ ଜଣଙ୍କୁ କାବୁ କରି ଉତ୍ତମମଧ୍ୟମ ଦେଇଥିଲେ। ଅନ୍ୟ ୩ ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରଉଚରା କରିଥିଲା। ପୁଲିସ ସେମାନଙ୍କ ନିକଟରୁ ନିଶା ଟାବଲେଟ, ଅର୍ଦ୍ଧଚନ୍ଦ୍ର ଅସ୍ତ୍ର, ହାତୁଡ଼ି, ଛୁରି, ଲଙ୍କାଗୁଣ୍ଡ ଆଦି ମାରଣାସ୍ତ୍ର ଜବତ କରିଛି। ଏନେଇ ପୁଲିସ ଥାନା କେସ୍ ନମ୍ବର ୬୬ରେ ମାମଲା ରୁଜୁ କରି ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳର ୭ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଜଣେ ନାବାଳକକୁ କିଶୋର ନ୍ୟାୟବୋର୍ଡ ଆଗରେ ହାଜର କରାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ସାହିଲ ଦୀପ, ଲକ୍ଷ୍ମୀକାନ୍ତ କୁଅଁର, ଅମରେଶ ମିର୍ଦ୍ଧା, ଲିପୁନ କୁମାର, ଚମରୁ ଭୋଇ, ଶକ୍ତିମାନ ଭୋଇ, ସୁଶୀଳ ସାହୁ। ଅନ୍ୟପକ୍ଷରେ କନ୍ୟାଘର ଲୋକେ ବରକନ୍ୟାଙ୍କୁ ସୋମବାର ସକାଳ ୧୦ଟାରେ ଘରୁ ବିଦାୟ ଦେବାପରେ ବରପକ୍ଷ ନିଜ ଗାଁରେ ପହଞ୍ଚିଥିଲେ। ଏହି ହତ୍ୟା ଉଦ୍ୟମ ପଛରେ ପୁଅଘରର ଜମି ବିବାଦ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସଂପତ୍ତି ପାଇବା ଆଶାରେ ପୁଅର ସମ୍ପର୍କୀୟ ଭିଣୋଇ ହତ୍ୟା ପାଇଁ ସୁପାରି ଦେଇଥିବା ଜଣେ ଗିରଫ ଅଭିଯୁକ୍ତ କହିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ପାଖକୁ ଦେଶୀବନ୍ଧୁକ କେଉଁଠୁ ଆସିଲା ତାହା ଏବେ ବଡ଼ ପ୍ରଶ୍ନ। ଏଦିଗରେ ଅଧିକ ତଦନ୍ତ ହେବା ଜରୁରି ବୋଲି ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/25/DdxlFNv4yR5UsqvZ5cNx.jpg)