ସ୍କୁଲ୍‌ରେ ଆଶ୍ରୟ ଦେଇ ନାବାଳିକାକୁ ଗଣଦୁଷ୍କର୍ମ ଉଦ୍ୟମ

ଯାଜପୁର/ଦାନଗଦୀ/କାଳିଆପାଣି : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଝୁମ୍ପାଣ ଅଞ୍ଚଳରେ ଗତକାଲି ବର୍ଷା ରାତିରେ ଘଟିଛି ଏକ ସ୍ପର୍ଶକାତର ଘଟଣା। ବର୍ଷା କାରଣରୁ ଝୁମ୍ପାଣ ପ୍ରାଥମିକ ସ୍କୁଲ‌ରେ ଆଶ୍ରୟ ନେଇଥିବା ନାବାଳକ ଭାଇ(୧୫)କୁ ଆକ୍ରମଣ କରିବା ସହ ନାବାଳିକା ଭଉଣୀ(୧୩)ଙ୍କୁ ଗଣଦୁଷ୍କର୍ମ ଉଦ୍ୟମ କରାଯାଇଛି। ଦୁର୍ବୃତ୍ତଙ୍କ କବଳରୁ ଖସିଯାଇ ନିକଟସ୍ଥ ବୁଦାମୂଳେ ଲୁଚିଥିବା ବେଳେ ପୀଡ଼ିତାଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ସୋମବାରଦିନ ଘଟଣାସ୍ଥଳରେ ଏସ୍‌ପି ରାହୁଲ ପିଆର, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସି‌ଲଭେରିଅସ୍ ‌ଟପ୍ପୋ, ସାଇଣ୍ଟିଫିଟ୍ ଟିମ୍ ଓ ଉଚ୍ଚ ପଦସ୍ଥ ଅଧିକାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣାରେ ୫ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖି କଳିଙ୍ଗନଗର ଥାନାରେ ପୁଲିସ ଜେରା କରୁଛି।

ସୂଚନା ଅନୁସା‌ରେ, ଆନନ୍ଦପୁର ଥାନା ଅଞ୍ଚଳର ଏହି ୨ଆଦିବାସୀ ନାବାଳକ ଭାଇଭଉଣୀ ଗତକାଲି ସଂଧ୍ୟାରେ ଡୁବୁରୀଠାରେ ବସ୍‌ରୁ ଓହ୍ଲାଇଥିଲେ। ପାଖରେ ପଇସା ନଥିବାରୁ ସେମାନେ ଚାଲିଚାଲି କାଳିଆପାଣିରେ ରହୁଥିବା ବଡ଼ ଉଉଣୀ ଓ ଭିଣୋଇ ଘରକୁ ଯାଉଥିଲେ। ରାତି ପ୍ରାୟ ୧୦ ସମୟରେ ବର୍ଷା ହେବାରୁ ଡୁବୁରୀ ପଞ୍ଚାୟତ ୫୩ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ତଳେଶ୍ବର ମନ୍ଦିରରେ ଆଶ୍ରୟ ନେଇଥିଲେ। କିଛିସମୟ ପରେ ୨ଜଣ ଯୁବକ ଆସି ସେମାନଙ୍କୁ ବିସ୍କୁଟ‌ ଦେଇ ଝୁମ୍ପାଣ ପ୍ରାଥମିକ ସ୍କୁଲରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ। ସେମାନଙ୍କ କଥାରେ ଭାଇଉଭଣୀ ନିକଟ ଝୁମ୍ପାଣ ପ୍ରାଥମିକ ସ୍କୁଲକୁ ଯାଇ ଆଶ୍ରୟ ନେଇଥିଲେ। କିଛି ସମୟ ପରେ ସଂପୃକ୍ତ ଯୁବକଦ୍ବୟ ସହ ଆଉ ୩ଜଣ ମୋଟ ୫ଜଣ ଯୁବକ ସ୍କୁଲରେ ପହଞ୍ଚିଥିଲେ। ସେମାନେ ନାବାଳକ ଭାଇକୁ ମାଡ଼ ମାରିଥିଲେ। ସ୍କୁଲ୍‌ ଛାତ ଉପରକୁ ନାବାଳିକାକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ହେଲେ, ନାବାଳିକା ଖସି ପଳାଇବା ପାଇଁ ଦୌଡ଼ିବା ବେଳେ ଶିଡ଼ିରୁ ଖସି ପଡ଼ିଥିଲେ। ଅନ୍ଧାର ସୁଯୋଗରେ ନିକଟସ୍ଥ ବୁଦାମୂଳେ ଆତ୍ମଗୋପନ କରିଥିଲେ। ଏହି ସମୟରେ ନାବାଳକ ଭାଇ ନିକଟସ୍ଥ ଗ୍ରାମକୁ ଯାଇ ଲୋକଙ୍କୁ ଖବର ଦେଇଥି‌ଲେ। ଫଳରେ ଗ୍ରାମବାସୀ ୧୧୨କୁ ଫୋନ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ପୀଡ଼ିତାକୁ ଉଦ୍ଧାର କରିବା ସହିତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅଭିଯୁକ୍ତ ୫ଜଣକୁ ପୁଲିସ କାବୁ କରିଛି। କଳିଙ୍ଗନଗର ଥାନାରେ ଅଭିଯୁକ୍ତମାନଙ୍କୁ ପଚରା ଉଚରା ଚାଲିଛି। ଡିଏସ୍‌ପି ପ୍ରମୋଦ ମଲ୍ଲିକ ଘଟଣାର ତଦନ୍ତ କରୁଥିବା ବେଳେ ଏସ୍‌ପି ରାହୁଲ ପିଆର ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ସାଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତରେ ସାମିଲ ହୋଇଛି।

ନାବାଳକ ଦ୍ବୟଙ୍କ ବାପାମା’ ନଥିବାରୁ ସିଡବ୍ଲୁସି ପକ୍ଷରୁ ଏତଲା କରାଯାଇ ତଦନ୍ତକୁ ତ୍ବରାନ୍ବିତ କରାଯିବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି ବିଚାରବିଭାଗୀୟ ହାଜତକୁ ପଠାଯିବ ବୋଲି ତଦନ୍ତକାରୀ ଅଧିକାରୀ ଡିଏସ୍‌ପି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧିତ ଖବର