ବେତନଟୀ: ବେତନଟୀ ଥାନା ଅଧୀନ ବେତନଟୀ ବଙ୍ଗଳାଛକରେ ଥିବା ଏସ୍ବିଆଇ ଏଟିଏମ୍ରୁ ଲୁଟ୍ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ତେବେ ଟଙ୍କା ନେବାରେ ବିଫଳ ହେବାରୁ ଶେଷରେ ୬ଟି ବ୍ୟାଟେରି ଚୋରି କରିନେଇଛନ୍ତି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ; ୨ ଜଣ ଯୁବକ ମଧ୍ୟରୁ ଜଣେ ଲାଲ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଅନ୍ୟ ଜଣେ ହଳଦିଆ ରଙ୍ଗର ସାର୍ଟ ପିନ୍ଧି ଏଟିଏମ୍ ଭିତରକୁ ପଶିଥିଲେ। ଭିତରକୁ ଯାଇ ଟଙ୍କା ମେସିନ୍ ତାଡ଼ିବାକୁ ଯାଇ ବିଫଳ ହୋଇଥିଲେ।
ଶେଷରେ ଏଟିଏମ୍ ଗୃହରେ ଲାଗିଥିବା ୬ଟି ଦାମୀ ବ୍ୟାଟେରି ଖୋଲିନେଇ ଏକ ଇନୋଭା ଗାଡ଼ିରେ ଏହାକୁ ବୋଝେଇ କରି ଚମ୍ପଟ ମାରିଥିଲେ। ଆଜି ସକାଳେ ଖବର ପାଇ ବେତନଟୀ ଥାନା ଏସ୍ଆଇ ବଳରାମ ମହାରଣା, ଏଏସ୍ଆଇ କେକେ ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀ ପହଞ୍ଚି ତଦନ୍ତ କରିଥିଲେ। ବାରିପଦାରୁ ସାଇଣ୍ଟଫିକ୍ ଟିମ୍ ସନ୍ଧାନୀ କୁକୁର ସହ ଆସି ଛାନ୍ଭିନ୍ କରିଛି। ହେଲେ ଲୁଟେରାଙ୍କ ସନ୍ଧାନ ମିଳିପାରିନି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/36-1.jpg)