ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ, ସଂଜ୍ଞାହୀନ ଅବସ୍ଥାରେ ରାସ୍ତାକଡ଼ରୁ ଉଦ୍ଧାର

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ା ପଞ୍ଚାୟତ ବାରପୁଡ଼ୁଗ- ତରଭା ରାସ୍ତାରୁ ଜଣେ ସଂଜ୍ଞାହୀନ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ମଙ୍ଗଳବାର ସଂଧ୍ୟାରେ ଜଣେ ନାବାଳିକା ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ସଂଜ୍ଞାହୀନ ‌ହୋଇ ପଡ଼ି ରହିଥିବା ବୌଦ୍ଧ ପୁଲିସକୁ ସୂଚନା ମିଳିଥିଲା। ପୁଲିସ ତାକୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଛି। ନାବାଳିକା ଜଣକ ହାତର ଶିରା କାଟି ଥିବା ଜଣାଯାଇଛି।

ପୁଲିସ ସୂଚନା ଅନୁସାରେ ନାବାଳିକାଙ୍କ ଘର ମୁଣ୍ଡାପଡ଼ା ହୋଇଥିବା ବେଳେ ମାମୁଁଘର ଧୁରମାଲରେ ରହୁଥିଲେ। କିଛି ଦିନ ପୂର୍ବରୁ ନାବାଳିକାଙ୍କୁ କିଛି ଯୁବକ କମେଣ୍ଟ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଗତକାଲି କୌଣସି କାରଣରୁ ତାଙ୍କ ମାମୁ ଗାଳି କରିଥିଲେ। ଏହା ପରେ ନାବାଳିକା ଜଣକ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ। ପ୍ରେମ ବ୍ୟାପାରକୁ ନେଇ ଘଟଣା ଘଟିଥିବା ବେଳେ ନାବାଳିକ ଜଣକ ନିଜେ ବ୍ଲେଡରେ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି। ନାବାଳିକାଙ୍କ ଚେତା ଫେରିଥିବା ବେଳେ ପଚରାଉଚୁରା ପରେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର