ରେଢ଼ାଖୋଲ: ସରକାର ବଦଳିଲା। ହେଲେ ସରକାରୀ ବାବୁମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ। ଆଜି ରେଢ଼ାଖୋଲ ତହସିଲଦାର ଦେବାଶିଷ ପାତ୍ର ସବୁ ସୀମା ସରହଦ ଡେଇଁ ଜଣେ ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନଙ୍କୁ ଚପଲରେ ମାରିବା ପାଇଁ ଉଦ୍ୟମ କରିଛନ୍ତି। କେବଳ ସେତିକି ନୁହେଁ, ତହସିଲଦାରଙ୍କ ନିର୍ଦ୍ଦେଶରେ ଜଣେ କର୍ମଚାରୀ କୁଳମଣି ନାଏକ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଧକ୍କା ଓ ମୁଥମାରି କାର୍ଯ୍ୟାଳୟ ଭିତରୁ ବାହାରି କରିଦେବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅବଶ୍ୟ ଏସବୁ ଅଭିଯୋଗକୁ ତହସିଲଦାର ଖଣ୍ଡନ କରିଛନ୍ତି।
ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୋନ୍-୨ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ ଆଜି ଅପରାହ୍ଣ ୧ଟା ସମୟରେ ତହସିଲଦାର ଦେବାଶିଷ ପାତ୍ରଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟିଥିଲେ। ଶ୍ରୀ ପ୍ରଧାନ ତାଙ୍କ ଜମିପଟ୍ଟା ପାଇଁ ଆବେଦନପତ୍ର (ସେଲ୍ ଡିଡ୍ ନମ୍ବର ୧୬୪୨୪୦୦୪୫୫) କାହିଁକି ଖାରଜ କରାଗଲା ବୋଲି ପଚାରିଥିଲେ। ତହସିଲଦାର ପ୍ରଥମେ ସେ କିଛି ଜାଣିନାହାନ୍ତି କି କିଛି କରିପାରିବେ ନାହିଁ ବୋଲି କହିଥିଲେ।
ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଚପଲ ଦେଖାଇଲେ
ମୁଥମାରି ବାହାର କଲେ କର୍ମଚାରୀ
ମଁୁ ନୁେହଁ, ସେ ଦୁର୍ବ୍ୟବହାର କରିଛନ୍ତି: ତହସିଲଦାର
ପରେ ଶ୍ରୀ ପ୍ରଧାନଙ୍କ ପ୍ରତି ରୁକ୍ଷ ବ୍ୟବହାର ପ୍ରଦର୍ଶନ କରି ‘ଗେଟ୍ ଆଉ୍ଟ’ ବୋଲି କହିବାକୁ ପଛାଇ ନଥିଲେ। ଏଥିସହିତ ତହସିଲଦାର ସେଲ୍ ଡିଡ୍ ସମ୍ବନ୍ଧୀୟ କାଗଜପତ୍ର ସବୁ ଫିଙ୍ଗିଦେଇଥିଲେ ବୋଲି ଶ୍ରୀ ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ଏଭଳି ବ୍ୟବହାରରେ ମର୍ମାହତ ଶ୍ରୀ ପ୍ରଧାନ କାହିଁକି ଦୁର୍ବ୍ୟବହାର କରୁଛନ୍ତି ବୋଲି ପଚାରିବାରୁ ‘ତୁ ଶଳା ଏଠାରୁ ପଳା’ କହି ଅପଶବ୍ଦ ପ୍ରୟୋଗ କରିଥିଲେ। ଜଣେ ଜନପ୍ରତିନିଧିଙ୍କୁ ଏଭଳି ବ୍ୟବହାର କରିବା ଠିକ୍ ନୁହେଁ କହିବା ପରେ ତହସିଲଦାରଙ୍କ ରାଗ ପଞ୍ଚମରେ ପହଞ୍ଚିଥିଲା। ସେ ତାଙ୍କ ଚୌକିରୁ ଉଠି ପଡ଼ି ଚପଲରେ ପିଟିବାକୁ ଉଦ୍ୟମ କରିଥିଲେ। ଏଥିସହିତ କର୍ମଚାରୀ କୁଳମଣି ନାଏକଙ୍କୁ ଡାକି ଶ୍ରୀ ପ୍ରଧାନଙ୍କୁ କାର୍ଯ୍ୟାଳୟରୁ ବାହାର କରିବାକୁ ନିର୍ଦ୍ଦେଶ ଦେବା ସହିତ ପୁନର୍ବାର ମାରିବାକୁ ଚପଲ ଉଠାଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶ ପାଇବା ପରେ କୁଳମଣି ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ପ୍ରଧାନଙ୍କୁ ଧକ୍କା ଆଉ ମୁଥ ମାରିମାରି କାର୍ଯ୍ୟାଳୟରୁ ବାହାର କରିଦେଇଥିଲେ। ଏ ସମସ୍ତ ଘଟଣା ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଶ୍ରୀ ପ୍ରଧାନ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ ତହସିଲଦାର ଦେବାଶିଷ ପାତ୍ରଙ୍କୁ ପଚାରିବାରୁ ସେ ସମସ୍ତ ଅଭିଯୋଗକୁ ଖଣ୍ତନ କରିଥିଲେ। ସେ ଜିଲ୍ଲା ପରିଷଦ ସଦସ୍ୟଙ୍କୁ କୌଣସି ପ୍ରକାର ଦୁର୍ବ୍ୟବହାର କରିନାହାନ୍ତି। ଓଲଟା ଶ୍ରୀ ପ୍ରଧାନ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି। ରେଜିଷ୍ଟ୍ରି ଦଲିଲରେ ତ୍ରୁଟିଥିବା ଯୋଗୁଁ ତାହା ଖାରଜ ହୋଇଥିଲା। ତେଣୁ ଉପର କୋର୍ଟରେ ଅପିଲ କରିବାକୁ ଶ୍ରୀ ପ୍ରଧାନଙ୍କୁ ପରାମର୍ଶ ଦେଇଥିବା ତହସିଲଦାର ଶ୍ରୀ ପାତ୍ର କହିଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ହଇଚଇ ହେବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଘଟଣାର ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ଏଥିରେ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ, ଏସ୍ଡିପିଓ ପ୍ରଶାନ୍ତ ମେହେର, ଥାନା ଅଧିକାରୀ ସବିତାଲତା ସେଠୀଙ୍କ ସହିତ ତହସିଲଦାର, ଜିଲ୍ଲା ପରିଷଦ ସଦସ୍ୟ ଓ ବିଜେପିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ମାତ୍ର ଆପୋସ ବୁଝାମଣା ଉଦ୍ୟମ ଫେଲ୍ ମାରିଥିବା ଜଣାପଡ଼ିଛି। ଏସ୍ଡିପିଓ ଶ୍ରୀ ମେହେର ଜିଲ୍ଲା ପରିଷଦ ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହେବ ବୋଲି ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଆଜି ରାତିରେ ଥାନାରେ ପହଞ୍ଚି ତୁରନ୍ତ ସିସିଟିଭି କ୍ୟାମେରା ଜବତ କରିବାକୁ ଦାବି କରିଛନ୍ତି।