ପାଟଣାଗଡ଼ : ପାଟଣାଗଡ଼ ସହରର ଧୂମାଭଟା ଛକସ୍ଥିତ ଭେଣ୍ଡିଂଜୋନ୍ ସ୍ଥାନରେ କଂକ୍ରିଟ ଷ୍ଟଲ୍ ନିର୍ମାଣ ଉଦ୍ୟମକୁ ଉଠାଦୋକାନୀ ସଂଘ ବିରୋଧ କରିଛି।
ସୂଚନା ଅନୁସାରେ, ଧୂମାଭଟା ଛକଠାରେ ଉଠା ଦୋକାନୀମାନଙ୍କ ପାଇଁ ଭେଣ୍ଡିଂଜୋନ କରାଯିବା ନେଇ ସେଠିକାର ଉଠା ଦୋକାନୀମାନଙ୍କୁ ଏନ୍ଏସି ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ କିଛିଦିନ ପୂର୍ବରୁ ମାପ କରାଯାଇ ଭୂମିପୂଜା କରାଯାଇଥିଲା। ଏହି ସମୟରେ ଏନ୍ଏସି ଇଓ ଗୌରହରି ମାହୁନ୍ତ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ଜେଇ ଓ ଏନ୍ଏସି କର୍ମକର୍ତ୍ତାମାନେ ଉପସ୍ଥିତଥିଲେ। ହେଲେ ସେହିସ୍ଥାନରେ ଭେଣ୍ଡିଂଜୋନ୍ ବଦଳରେ କିଛି ବଡ଼ ବଡ଼ କଂକ୍ରିଟ ଷ୍ଟଲ, ଗୋଦାମ ଘର ନିର୍ମାଣ ଉଦ୍ଦେଶ୍ୟରେ ଲେଆଉଟ ଦେଇ ଗାତ ଖୋଳାଯାଉଥିଲା। ଏହାକୁ ଉଠା ଦୋକାନୀ ସଂଘ ଗୁରୁବାର ବିରୋଧ କରିଥିଲା।
ସଂଘର କହିବା ଅନୁଯାୟୀ, ଉକ୍ତ ସ୍ଥାନରେ ବଡ଼ ବଡ଼ କଂକ୍ରିଟ ଷ୍ଟଲ୍ ନିର୍ମାଣ କରାଯାଉଥିବାରୁ ସେଗୁଡ଼ିକୁ ନେବା ପାଇଁ ଉଠା ଦୋକାନୀମାନଙ୍କ ପାଖରେ ପୁଞ୍ଜି ନାହିଁ। ତେଣୁ ପ୍ରଥମେ ଉଠା ଦୋକାନୀମାନଙ୍କୁ ଥଇଥାନ କରିବାକୁ ସଂଘର ସଭାପତି ଅନିଲ ମେହେର ଦାବି କରିଛନ୍ତି। ଏ ସମ୍ପର୍କରେ ଏନ୍ଏସି ଇଓଙ୍କୁ ପଚରାଯିବାରୁ ଉକ୍ତ ସ୍ଥାନରେ ଷ୍ଟଲ ନିର୍ମାଣ ପାଇଁ ଆଗରୁ ଟେଣ୍ଡର ହୋଇଥିଲା, ସେହିଅନୁସାରେ ଆରମ୍ଭ କରାଯାଇଛି, ଉଠା ଦୋକାନୀମାନେ ବିରୋଧ କରୁଥିବା ଶୁଣିବାକୁ ପାଇଛନ୍ତି ବୋଲି ସେ କହିଥିଲେ।