ବିନା ଟେଣ୍ଡର୍‌ରେ ପ୍ରସିଦ୍ଧ ଦାରିଙ୍ଗିବାଡ଼ି କଫି ବଗିଚା ହସ୍ତାନ୍ତର ପ୍ରୟାସ

ଟିଡିସିସି ହାତରେ ଟେକି ଦିଆଯାଉଛି କାହା ସ୍ବାର୍ଥରେ?

ଫୁଲବାଣୀ : ବିଶ୍ବପ୍ରସିଦ୍ଧ ଦାରିଙ୍ଗିବାଡ଼ି କଫି ବଗିଚାକୁ ବିନା ଟେଣ୍ଡର୍‌ରେ ଟିଡିସିସି ହାତରେ ଟେକି ଦେବାକୁ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଫି ଚାଷ ଏବଂ କଫି ବଗିଚାର ରକ୍ଷଣାବେକ୍ଷଣ ନେଇ ଅଭିଜ୍ଞତା ନଥିବା ଏକ ସଂସ୍ଥା ହାତରେ କନ୍ଧମାଳ ପ୍ରଶାସନ ଏଭଳି ବିନା ଟେଣ୍ଡର୍‌ରେ ହସ୍ତାନ୍ତର କରିଦେବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୧୯୭୪ ମସିହାରୁ କନ୍ଧମାଳ ଜିଲ୍ଲା ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଦାରିଙ୍ଗିବାଡ଼ି କଫି ବଗିଚା କାର୍ଯ୍ୟକ୍ଷମ ଅଛି। ବିଭିନ୍ନ ସମୟରେ ଏହାର ରକ୍ଷଣାବେକ୍ଷଣ, କଫି ଚାଷ, ଅମଳ ଓ ପ୍ରୋସେସିଂ ଦାୟିତ୍ବ ଅନ୍ୟ ଘରୋଇ ଅଭିଜ୍ଞ ସଂସ୍ଥା ହାତରେ ନ୍ୟସ୍ତ କରାଯାଇ ଆସୁଛି।

ଗତ ୨୦୧୬ ମସିହାରୁ ଦାରିଙ୍ଗିବାଡ଼ି କଫି ବଗିଚାର ରକ୍ଷଣାବେକ୍ଷଣ, କଫି ଚାଷ, ଅମଳ, କଫି ମଞ୍ଜି ପ୍ରୋସୋସିଂ ଏବଂ ବିକ୍ରିବଟା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ‘ଉଷା ଏଣ୍ଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥାକୁ ଦାୟିତ୍ବ ଦେଇଥିଲା। ‘ଉଷା ଏଣ୍ଟରପ୍ରାଇଜର୍ସ’ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ମଧ୍ୟରେ ଏଥିପାଇଁ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହା ୨୦୨୨ ପର୍ଯ୍ୟନ୍ତ ବଳବତ୍ତର ଥିଲା। ଏହି ଏମ୍‌ଓୟୁ ଅନୁସାରେ, ଉଷା ଏଣ୍ଟର୍‌ପ୍ରାଇଜର୍ସ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ବାର୍ଷିକ ୧ ଲକ୍ଷ ୫ ହଜାର ଟଙ୍କାର ରାଜସ୍ବ ପ୍ରଦାନ କରି ଆସୁଥିଲା। ତେବେ ଏହାର ଅବଧି ସରିବା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପୁନଃଟେଣ୍ଡର୍‌ ଡାକିବା କଥା। କିନ୍ତୁ ହଠାତ୍‌ ଦାରିଙ୍ଗିବାଡ଼ି କଫି ବଗିଚାର ରକ୍ଷଣାବେକ୍ଷଣ ଓ ମଞ୍ଜି ପ୍ରୋସେସିଂ ପାଇଁ ଏ କ୍ଷେତ୍ରରେ ଅନଭିଜ୍ଞ ଟିଡିସିସି ସହ ଏମ୍‌ଓୟୁ ସ୍ବାକ୍ଷର କରିଛି।

ଏତେବଡ଼ ପ୍ରକଳ୍ପକୁ ବିନା ଟେଣ୍ଡର୍‌ରେ ତରବରିଆ ଭାବେ କାହିଁକି ପ୍ରଶାସନ ଟିଡିସିସି ହାତରେ ଟେକି ଦେଉଛି ତାକୁ ନେଇ ଏତେ ବର୍ଷ ଧରି କଫି ବଗିଚାର ରକ୍ଷଣାବେକ୍ଷଣ କରିବା ସହ ଦାରିଙ୍ଗିବାଡ଼ି କଫି ବଗିଚାକୁ ବିଶ୍ବପ୍ରସିଦ୍ଧ କରାଇବାରେ ମୁଖ୍ୟ ଭୂମିକା ନେଇଥିବା ‘ଉଷା ଏଣ୍ଟରପ୍ରାଇଜର୍ସ’ର ନିର୍ଦ୍ଦେଶକ ସଂଗ୍ରାମ ଜେନା ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ତେବେ ଟିଡିସିସି ଏକ ସରକାରୀ ନିଗମ ଏବଂ କନ୍ଧମାଳ ଜିଲ୍ଲାରେ କଫି ଚାଷକୁ ବ୍ୟାପକ କରିବା ପାଇଁ ଟିଡିସିସି ସହ ଜିଲ୍ଲା ପ୍ରଶାସନ ଚୁକ୍ତି ସ୍ବାକ୍ଷର କରିଛି ବୋଲି କନ୍ଧମାଳ ମୃତ୍ତିକା ସଂରକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏକ ସରକାରୀ ସଂସ୍ଥା ଆଉ ଏକ ସରକାରୀ ସଂସ୍ଥା ସହ ଚୁକ୍ତି କରିବା କ୍ଷେତ୍ରରେ ଟେଣ୍ଡର୍‌ର ଆବଶ୍ୟକତା କ’ଣ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।

ପ୍ରାଶାସନିକ ଅବହେଳା କାରଣରୁ ଦାରିଙ୍ଗିବାଡ଼ି କଫି ବଗିଚାଠାରୁ ମାତ୍ର ୪ କିଲୋମିଟର ଦୂର ପ୍ଲିହେରି କଫି ବଗିଚା ଆଜି ଧ୍ବଂସ ହୋଇଯାଇଛି। ଏ କଫି ବଗିଚାରୁ କଫି ଚାଷ ଲୋପ ପାଇଯାଇଛି ଏବଂ ଏଠାରେ ଥିବା ବହୁ ମୂଲ୍ୟବାନ୍‌ ସିଲ୍‌ଭର ଓକ୍‌ ଗଛ ମଧ୍ୟ ନଷ୍ଟ ହୋଇଯାଇଛି। ଜିଲ୍ଲାର ୬ଟି ବ୍ଲକ୍‌ର ମୋଟ ୧,୦୯,୩୯୫ ହେକ୍ଟର୍‌ ଜମିରେ କଫି ଚାଷ ହେବ ବୋଲି ନିଷ୍ପତ୍ତି ହୋଇଛି। ଜିଲ୍ଲାର ରାଇକିଆ, ଟିକାବାଲି, ଦାରିଙ୍ଗିବାଡ଼ି, ଘୁ.ଉଦୟଗିରି, ଫିରିଙ୍ଗିଆ ଏବଂ କ.ନୂଆଗାଁ ଆଦି ୬ଟି ବ୍ଲକ୍‌ରେ କଫି ଚାଷ କରିବା ନେଇ କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଟିଡିସିସି ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।

ଏହି ୬ଟି ବ୍ଲକ୍‌ରେ ନୂଆ କରି କଫି ଚାଷ ଆରମ୍ଭ କରିବାକୁ କଫି ବୋର୍ଡ଼ ସର୍ଭେ କରିସାରିଛି। ରାଇକିଆ ବ୍ଲକ‌୍ର ୨୩,୮୦୦ ହେକ୍ଟର୍‌, ଟିକାବାଲି ବ୍ଲକ୍‌ର ୨୫,୯୦୦ ହେକ୍ଟର୍‌, ଦାରିଙ୍ଗବାଡ଼ି ବ୍ଲକ୍‌ର ୭୬,୯୦୦ ହେକ୍ଟର୍‌, ଘୁ.ଉଦୟଗିରି ବ୍ଲକ୍‌ର ୧୩,୭୦୦ ହେକ୍ଟର୍‌, ଫିରିଙ୍ଗିଆ ବ୍ଲକ୍‌ର ୬୩,୨୦୦ ହେକ୍ଟର୍‌ ଏବଂ କ.ନୂଆଗାଁ ବ୍ଲକର ୩୯,୬୦୦ ହେକ୍ଟର୍‌ ଜମି କଫିଚାଷ ପାଇଁ ଚିହ୍ନଟ କରାଯାଇଛି। ଟିଡିସିସି ଏହି ଜମିକୁ ଆସନ୍ତା ୩ ବର୍ଷ ପାଇଁ କଫି ଚାଷ ପାଇଁ ଲିଜ୍‌ ସୂତ୍ରରେ ନେବାକୁ ଜିଲ୍ଲା ପ୍ରଶାସନ ସହ ଚୁକ୍ତି ସ୍ବାକ୍ଷର କରିଛି। ତେବେ ଟିଡିସିସିର କଫି ଚାଷ ଓ କଫି ଅମଳ, ମଞ୍ଜିର ପ୍ରୋସେସିଂ କରିବା ବାବ‌ଦରେ ଆଦୌ ଅଭିଜ୍ଞତା ନାହିଁ ଏବଂ ଦାରିଙ୍ଗବାଡ଼ି କଫି ବଗିଚା ଟିଡିସିସି ହାତକୁ ଚାଲିଗଲେ ଏହା ସମ୍ପୂର୍ଣ୍ଣ ଧ୍ବଂସ ହୋଇଯିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର