ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରି ‌ଛେଚା ଖାଇଲେ ୪ ଯୁବକ

ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ଓଡ଼ିଶୋ ପଞ୍ଚାୟତର ଜଣେ କଲେଜ ଛାତ୍ରୀଙ୍କୁ ଗୁରୁବାର ଦିନ ତାଙ୍କ ଘର ନିକଟରୁ ୪ଜଣ ଯୁବକ ଗାଡ଼ିରେ ଅପହରଣ କରିବାକୁ ଉଦ୍ୟମ କରୁଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଯାଇଥିଲେ। ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିବା ଯୁବକମାନେ ନିର୍ଧୁମ ଛେଚା ଖାଇଥିଲେ। ତେବେ ଶାସକଦଳର ପ୍ରଭାବଶାଳୀ ପରିବାରର ପିଲାମାନେ ଏହି ଘଟଣାରେ ସମ୍ପୃକ୍ତ ଥିବାରୁ ଗ୍ରାମର କିଛି ବ୍ୟକ୍ତିଙ୍କ ମଧ୍ୟସ୍ଥତାରେ ଗ୍ରାମବାସୀଙ୍କ ଉପସ୍ଥିତିରେ ଯୁବକମାନେ ଭୁଲ ମାଗିବା ସହିତ ସେମାନଙ୍କ ଅଭିଭାବକମାନେ ଅନୁତାପ କରିବା ପରେ ଅଟକ ଯୁବକମାନଙ୍କୁ ଗ୍ରାମବାସୀ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରିଛନ୍ତି।

ସୂଚନା ଅନୁଯାୟୀ କଲେଜ୍‌ ଛାତ୍ରୀ ଜଣକ କ୍ଲାସ୍‌ ଶେଷ କରି ସାଇକଲ୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ମଧୁବନ ନିକଟସ୍ଥ ମିର୍ଜାପୁର ଗ୍ରାମର ୪ଜଣ ଯୁବକ ଏକ ନାଲି ରଙ୍ଗର ବୋଲେରୋ ନମ୍ବର ଓଆର୍‌-୦୪ଏନ୍‌-୨୦୪୨ରେ ସଂପୃକ୍ତ ଛାତ୍ରୀଙ୍କୁ ଅପହରଣ କରିବାକୁ ଗୋଡ଼ାଇଥିଲେ। ଏହି ଯୁବକମାନେ ସମ୍ପୃକ୍ତ ଛାତ୍ରୀଙ୍କ ଘର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଯାଇ ବୋଲେରୋ ରଖି ତାଙ୍କ ଘର ଭିତରକୁ ମଧ୍ୟ ପଶି ଯାଇଥିଲେ। ହେଲେ ଏହି ସମୟରେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାର ଓ ଗ୍ରାମବାସୀ ଯୁବକମାନଙ୍କୁ କାବୁକରି ନିସ୍ତୁକ ମାଡ଼ ଦେଇଥିଲେ। ଏହାକୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା। ଗ୍ରାମବାସୀ ଓ ପଞ୍ଚାୟତର କିଛି ଭଦ୍ରଲୋକ ବସି ଘଟଣାର ସମାଧାନ କରିଥିଲେ। ସମ୍ପୃକ୍ତ ଯୁବକମାନଙ୍କ ଅଭିଭାବକଙ୍କୁ ବୈଠକକୁ ଡକାଯାଇଥିଲା। ସେଠାରେ ସଂପୃକ୍ତ ଯୁବକମାନେ କ୍ଷମା ମାଗିଥିଲେ। ପରେ ସେମାନଙ୍କୁ ତାଙ୍କ ଅଭିଭାବକଙ୍କ ଜିମା ଦିଆଯାଇଥିଲା। ଏସମ୍ପର୍କରେ କୁଆଖିଆ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନାଧିକାରୀ ମନୋଜ କୁମାର ସ୍ବାଇଁ କହିଛନ୍ତି। ତେବେ ପୁଲିସ ଘଟଣାସ୍ଥଳକୁ ଯାଇଥିବା ଓ ଏହାର ଆପୋସ ସମାଧାନ ହେବ କହି ଗ୍ରାମବାସୀ ସେମାନଙ୍କୁ ଫେରାଇ ଦେଇଥିଲା।

ସମ୍ବନ୍ଧିତ ଖବର