କଟକ : ରାଜା ବଗିଚା ଲେବର୍ କଲୋନିର ଉପସଭାପତି ତଥା ଅଟୋ ମହାସଂଘ ଉପସଭାପତି ଦେବେନ୍ଦ୍ର ପାଣିଗ୍ରାହୀଙ୍କୁ ନେତାଜୀ ସୁଭାଷ ଚନ୍ଦ୍ର ସେତୁ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ମଦ ଦୋକାନକୁ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ ସହ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଦେବେନ୍ଦ୍ର ସୋମବାର ଦିନ ୧୨ଟା ସମୟରେ ନିଜର ଆକ୍ଟିଭା ସ୍କୁଟିରେ କଟକରୁ ଭୁବନେଶ୍ୱର ପଟିଆସ୍ଥିତ ନିଜ ଅଫିସକୁ ଯାଉଥିବା ସମୟରେ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ପ୍ରଥମେ ତିନି ଜଣ ଯୁବକ ଏକ ବାଇକରେ ଆସି ଦେବେନ୍ଦ୍ରଙ୍କୁ ଅଟକାଇ ଥିଲେ। ଏହାପରେ ଆଉ ଗୋଟିଏ ବାଇକରେ ତିନି ଜଣ ଯୁବକ ଆସି ତାଙ୍କୁ ଘେରି ଯାଇଥିଲେ। ଦେବେନ୍ଦ୍ର କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତମାନେ ଲୁହା ପାଇପରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଦେବେନ୍ଦ୍ରଙ୍କ ଗୋଡ଼ ଓ ମୁଣ୍ଡକୁ ପାଇପରେ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ଦେବେନ୍ଦ୍ର ହେଲମେଟ ପିନ୍ଧିଥିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇନାହିଁ। କିନ୍ତୁ ଗୋଡ଼ରେ ଗଭୀର ଆଘାତ ଲାଗିଛି।
ଦେବେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ସେ ଦୀର୍ଘଦିନ ହେବ ରାଜାବଗିଚା ଲେବର କଲୋନି ଅଞ୍ଚଳର ଜନବସତିରେ ଖୋଲିଥିବା ଏକ ମଦ ଦୋକାନକୁ ବିରୋଧ କରି ଆସୁଥିଲେ। ଯାହାକୁ ନେଇ ମଦ ଦୋକାନ ମାଲିକ ଓ ଘର ମାଲିକ ବିଭିନ୍ନ ସମୟରେ ତାଙ୍କୁ ଧମକ ଦେଇ ଆସୁଥିଲେ। ଗଲା ରବିବାର ଦିନ ସେ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ମଦ ଦୋକାନ ଓ ମଦ ବିକ୍ରିକୁ ବିରୋଧ କରିଥିବା ଦେବେନ୍ଦ୍ର କହିଛନ୍ତି। ଆଜି ଦୁର୍ବୃତ୍ତମାନେ ଆକ୍ରମଣ କରିବା ସମୟରେ ସବୁ ଖେଳ ଶେଷ ହେଲା କହି ଆକ୍ରମଣ କରିଥିବା ଦେବେନ୍ଦ୍ର ସୂଚନା ଦେଇଛନ୍ତି। ମଦ ଦୋକାନୀ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।
ମର୍କତ ନଗର ଥାନାରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦେବେନ୍ଦ୍ରଙ୍କ ଏକ ମୋବାଇଲ୍ ଦୁର୍ବୃତ୍ତମାନେ ଛଡ଼ାଇ ନେଇଛନ୍ତି। ଦୁର୍ବୃତ୍ତମାନେ ତ୍ରିଶୂଳିଆ ଆଡ଼କୁ ଚମ୍ପଟ୍ ମାରିଥିବା ବେଳେ ପୁଲିସ ଏବେ ଉଭୟ କଟକ ଓ ତ୍ରିଶୂଳିଆ ପଟେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରୁଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/clash.jpg)