ଥାନାରେ ପଶି ପୁଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ: ତିନି ଦିନ ହେଲା ମାମଲା ରୁଜୁ କରି ପୁଲିସ ଚୁପ୍‌

ଶାସକ ଦଳର କାର୍ଯ୍ୟକ୍ରମରେ ଯୋଗ ଦେଉଛି ଅଭିଯୁକ୍ତ

କେନ୍ଦ୍ରାପଡ଼ା : ଥାନା ଭିତରେ ପଶି କର୍ତ୍ତବ୍ୟରତ ପୁଲିସ ଏଏସ୍‌ଆଇଙ୍କୁ ହତ୍ୟା ଉଦ୍ୟମ କଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ୍‌ କରିବା ସହ ବର୍ଦ୍ଦି ଉତାରି ଦେବେ ବୋଲି ଧମକ ଦେଲେ। ପୁଲିସ ବି ହତ୍ୟା ଉଦ୍ୟମ ଭଳି ବିଭିନ୍ନ ସ˚ଗିନ ଦଫାରେ ମାମଲା ରୁଜୁ କଲା। କିନ୍ତୁ ତିନି ଦିନ ହେଲାଣି କର୍ଯ୍ୟାନୁଷ୍ଠାନ ଶୂନ। ଏପଟେ ଅଭିଯୁକ୍ତ ଯୁବକ ନିକିରାଇ ମଳିକ ସାହିର ଇନ୍ଦ୍ର ମଳିକ କିନ୍ତୁ ନିଜକୁ ଶାସକ ବ‌ିଜେଡି ଦଳର ଯୁବ ନେତା ଭାବେ ପରିଚୟ ଦେଇ ଖୁଲମଖୁଲା ଘୂରି ବୁଲିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍‌ ହେବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ଆଜି ମଧୢ ଆଳି ନିର୍ବାଚନ ମଣ୍ତଳୀର ରାଜକନିକା ଜୟନଗରଠାରେ ହୋଇଥିବା ବିଜେଡିର ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅଭିଯୁକ୍ତ ଇନ୍ଦ୍ରଙ୍କୁ ଦେଖିବାକୁ ମିଳିଛି। ମାତ୍ର ଆଠ ଦିନ ତଳେ କ˚ଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହୋଇଥିବା ଏହି ଇନ୍ଦ୍ରଙ୍କ ବିରୋଧରେ ପୂର୍ବରୁ ବି ଅପରାଧିକ ମାମଲା ରହିଥିବା ବେଳେ ନିକିରାଇ ପୁଲିସ କାହା ଚାପରେ ତାଙ୍କୁ ଗିରଫ ନ କରି ଚୁପ୍‌ ବସିଛି? କାହା ଛତ୍ରଛାୟାରେ ରହି ଜଣେ ଅଭିଯୁକ୍ତ ଏଭଳି ଖୁଲମଖୁଲା ବୁଲିବାକୁ ସାହସ କରି ପାରୁଛନ୍ତି ବୋଲି ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଏକ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଇନ୍ଦ୍ର ମଳିକ ଘର ପାଖ ଛକରେ ଠିଆ ହୋଇ ଗାଁ ଲୋକଙ୍କୁ ଗାଳିଗୁଲଜ୍‌ କରୁଥିଲେ। ଏହି ସମୟରେ ବଜାରରୁ ଚା ପିଇ ଥାନାକୁ ଫେରୁଥିବା ଦୁଇ ପୁଲିସ ଅଧିକାରୀ ତାଙ୍କୁ ପାଟିତୁଣ୍ତ ନ କରିବା ପାଇଁ କହିଥିଲେ। କିନ୍ତୁ ସେ ଶୁଣି ନଥିଲେ। ବର˚ ଏହାର କିଛି ସମୟ ପରେ ସ˚ଧ୍ୟାରେ ଇନ୍ଦ୍ର ମଳିକ ଏକ ବନ୍ଧୁକ ଧରି ନିକିରାଇ ଥାନା ଭିତରେ ପଶି ଥିଲେ। କାହିଁକି ତାଙ୍କୁ ପାଟିତୁଣ୍ତ କରିବା ପାଇଁ ମନା କଲ ବୋଲି ପଚାରି ପୁଲିସକୁ ଗାଳି କରିବା ସହିତ ଏଏସ୍‌ଆଇ ପ୍ରକାଶ ନାୟକଙ୍କୁ ହତ୍ୟା ଧମକ ଦେଇଥିଲେ। ପୁଣି ପ୍ରାୟ ଦୁଇ ଘଣ୍ଟା ପରେ କିଛି ସମର୍ଥିତ ଯୁବକଙ୍କୁ ଧରି ଇନ୍ଦ୍ର ଥାନାରେ ପହଞ୍ଚି ପାଟିତୁଣ୍ତ କରିବା ସହିତ ଜଣେ ମହିଳା ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା କୁହାଯାଉଛି।

ଏଏସ୍‌ଆଇ ଶ୍ରୀ ନାୟକ ଏ ସ˚କ୍ରାନ୍ତରେ ଏତଲା ଦେବା ପରେ ଇନ୍ଦ୍ର ବିରୋଧରେ ୧୮ତାରିଖରେ ମାମଲା (କେସ୍‌ ନମ୍ବର ୧୮୪/୨୧, ଆଇପିସି ଦଫା  ୩୪୧, ୨୯୪ , ୩୨୩ , ୩୫୪ , ୩୦୭ ଓ ୫୦୬ରେ ରୁଜୁ ହୋଇଥିଲା। କିନ୍ତୁ ଇତିମଧୢରେ ତିନି ଦିନ ପୂରିବାକୁ ବସିଥିଲେ ବି ପୁଲିସ ହାତ ବାନ୍ଧି ବସିଛି। ‘ଖୋଜୁଛି, ପାଉନି… ବୋଲି ଧାଡ଼ିକିଆ ଉତ୍ତର ଦେଇ ପୁଲିସ ଚୁପ୍‌ ବସିଛି। ଏପଟେ ଅଭିଯୁକ୍ତ ଇନ୍ଦ୍ର କିନ୍ତୁ ଖୁଲମଖୁଲା ବୁଲିବା ସହିତ ଶାସକ ଦଳର କାର୍ଯ୍ୟକ୍ରମରେ ସାମିଲ୍‌ ହେଉଛନ୍ତି। ଗତ ୧୧ ତାରିଖରେ ଇନ୍ଦୁପୁର ଚଣ୍ଡୀ ମନ୍ଦିର ନିକଟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଇନ୍ଦ୍ର ଅନ୍ୟମାନଙ୍କ ସହିତ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ୍‌ ହୋଇଥିଲେ। ଆଜି ସେ ଶାସକ ଦଳ ନେତାଙ୍କ ଗାଡ଼ିରେ କେନ୍ଦ୍ରାପଡ଼ାରୁ ଯାଇ ରାଜକନିକାରେ ଅନୁଷ୍ଠିତ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିବା ଏବଂ କାର‌୍‌ରେ ଯିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ହେଲେ ପୁଲିସ ତାଙ୍କୁ ଫେରାର‌୍‌ ଦର୍ଶାଉଛି। ଅନ୍ୟପକ୍ଷରେ ଥାନା ଦାୟିତ୍ବରେ ଥିବା ଏସ୍‌ଆଇ ଶରତ ଚନ୍ଦ୍ର ଦାସ ଏ ସଂପର୍କରେ କେବଳ ‘ଦେଖୁଛନ୍ତି’ ବୋଲି ହାଲକା ବୟାନ ଦେଇଛନ୍ତି।

ସମ୍ବନ୍ଧିତ ଖବର