ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌ ଉଦ୍ୟମ, ଜଣଙ୍କୁ କାବୁ କରି ପୁଲିସରେ ଦେଲେ ଗ୍ରାମବାସୀ

ସୋର/ବାହାନଗା: ସୋର ଥାନା କୋଚିଆକୋଇଲି ଗ୍ରାମର ଜଣେ ଔଷଧଦୋକାନୀ ଲୁଟେରାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଔଷଧଦୋକାନୀଙ୍କ ଚିତ୍କାର ଶୁଣି ଲୁଟେରାଦଳ ଖସି ପଳାଉଥିବା ସମୟରେ ଗ୍ରାମବାସୀ ଜଣକୁ କାବୁ କରି ଉତ୍ତମମଧ୍ୟମ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ବାହାନଗା ବ୍ଲକ କୋଚିଆକୋଇଲି ଅଞ୍ଚଳର ନରେନ୍ଦ୍ର ଦାଶ(୪୮)ଙ୍କର ସୋର ପୌରପାଳିକା କାର୍ଯ୍ୟାଳୟ ନିକଟରେ ଏକ ଆୟୁର୍ବେଦିକ ଔଷଧ ଦୋକାନ ରହିଛି। ସବୁଦିନ ପରି ଆଜି ସନ୍ଧ୍ୟା ୮ଟା ସମୟରେ ଦୋକାନ ବନ୍ଦ କରି ପାଖର ଛକ ରାସ୍ତାରେ ନିଜ ଘରକୁ ଫେରୁଥିଲେ। ତେବେ କୋଚିଆକୋଇଲି ଗ୍ରାମ ନିକଟରେ ଏକ ପଲସର ବାଇକରେ ୩ଜଣ ଯୁବକ ଆସି ତାଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ନରେନ୍ଦ୍ର ଟଙ୍କା ଦେବାକୁ ମନା କରିବାରୁ ତାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ୍‌କୁ ସେମାନେ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ନରେନ୍ଦ୍ର ବିରୋଧ କରିବାରୁ ତାଙ୍କୁ ସେମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ନରେନ୍ଦ୍ରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଦୁର୍ବୁତ୍ତମାନେ ଖସିଯିବାକୁ ଚେଷ୍ଟା କରିଥିଲେ। ଏହାପରେ ସ୍ଥାନୀୟ ଲୋକ ଜଣେ ଦୁର୍ବୁତ୍ତକୁ କାବୁ କରିବା ସହିତ ନରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ସୋର ହସ୍ପିଟାଲକୁ ନେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ କବଳରୁ ଅଟକ ଦୁର୍ବୁତ୍ତକୁ ମୁକୁଳାଇ ସୋର ଥାନାକୁ ନେଇ ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର