କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ କର୍ମଚାରୀଙ୍କ ମୃତ୍ୟୁ ଅଭିଯୋଗ, ଧାରଣାରେ ବସିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ଭୁବନେଶ୍ବର: ସାଧାରଣ ରୋଗୀଙ୍କୁ ଚିକିତ୍ସା ଅବହେଳା ଖବର ଆମେ ଶୁଣିଛେ, ମାତ୍ର ହସ୍ପିଟାଲ କର୍ମଚାରୀଙ୍କୁ ଚିକିତ୍ସା ଅବହେଳା କମ୍ ଶୁଣିବାକୁ ମିଳିଥାଏ। ରାଜଧାନୀ ଭୁବନେଶ୍ବରରୁ ଆସିଛି ଏଭଳି ଏକ ଅଭିଯୋଗ। ହସ୍ପିଟାଲ କର୍ମଚାରୀଙ୍କୁ ଆଇସିୟୁ ନ ମିଳିବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି।  କ୍ୟାପିଟାଲ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା ଓ ଘଟଣାର ପ୍ରତିବାଦରେ  ଧାରଣାରେ ବସିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଆଇସିୟୁ ମିଳିଥିଲେ ରୋଗୀ ଜଣକ ବଂଚିଯାଇଥାନ୍ତେ ବୋଲି ମୃତ କର୍ମଚାରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଏସଏନସିୟୁର ଜଣେ କର୍ମଚାରୀ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ଗତକାଲି ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ରୋଗୀଙ୍କ ପରିବାର । କିନ୍ତୁ ଆଇସିୟୁ ଦେବାକୁ କର୍ତ୍ତୃପକ୍ଷ ମନା କରିଦେଇଥିଲେ ଏବଂ ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା ।

ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଧୀରେଧୀରେ ବିଗିଡି ଥିଲେ ମଧ୍ୟ ତାଙ୍କୁ ଆଇସିୟୁ ମିଳି ନଥିଲା । ତେଣୁ ଚିକିତ୍ସାରେ ଅବହେଳା ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉଚିତ କାର୍ଯ୍ୟାନୁଷ୍ଠାନ ଦାବି କରି ଆଟେଣ୍ଡାଣ୍ଟମାନେ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି ।

ସମ୍ବନ୍ଧିତ ଖବର