ଅନୁଗୁଳ: ବିକାଶକୁ ପ୍ରସଙ୍ଗ କରି ନିର୍ବାଚନକୁ ଓହ୍ଲାଇଛି ବିଜେଡି। ଆଠମଲ୍ଲିକ ପାଇଁ କରିଥିବା ବିକାଶମୂଳକ କାମର ହିସାବ ଦେଇ ଗାଁରୁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ଦଳୀୟ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ। ଜିତିଲେ କ’ଣ କରିବେ, ତା’ ତାଲିକା ବି ଦେଉଛନ୍ତି। ଏପଟେ ସବୁ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଏକାଠି କରି ପରିବର୍ତ୍ତନର ନାରା ଦେଇଛି ବିଜେପି। ବିଜେଡିରୁ ଅଧା ଡଜନ ନେତା ଏବେ ବିଜେପିରେ ମିଶିଥିଲା ବେଳେ ବିଜେଡିରୁ ଆସିଥିବା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଏଠାରେ ବିଜେଡି ସହ ବିଜୁ ବିଜେପିର ଲଢ଼େଇ ହେଉଥିଲା ବେଳେ ରକ୍ଷଣାତ୍ମକ ନୀତି ଆପଣେଇଛି କଂଗ୍ରେସ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ର ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିଲା ବେଳେ ଏହା ବିଜେଡିର ଗଡ଼ ହୋଇରହିଛି। ୨୦୦୦ ମସିହା ପରଠାରୁ ଏଠାରେ କ୍ରମାଗତ ଭାବେ ବିଜେଡି ବିଜୟୀ ହୋଇ ଆସୁଛି। ଗତ ୨୦୧୯ ନିର୍ବାଚନରେ ଏଠାରେ ବିଜେଡି ପ୍ରାର୍ଥୀ ରମେଶ ସାଏ ରେକର୍ଡ ୪୭ ହଜାର ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ହେଲେ ଏ ଭିତରେ ଏହି ନିର୍ବାଚନମଣ୍ଡଳୀର ହିସାବ ସବୁ ଓଲଟପାଲଟ ହୋଇଯାଇଛି।
ବିଜେଡି ଟିକେଟରେ ବିଧାୟକ ହୋଇଥିବା ରମେଶ ସାଏ ଏବେ ବିଜେପିରେ। ସେହିପରି ଗତ ନିର୍ବାଚନ ସମୟରେ ବିଜେଡି ପାଇଁ ପ୍ରଚାର କରୁଥିବା ସଂଜୀବ ସାହୁ ଏଥର ବିଜେପି ପ୍ରାର୍ଥୀ। ବିଜେଡି ଟିକେଟ ପାଇଁ ଆଶାୟୀ ଥିବା ଅର୍ଜୁନ ସାହୁ ଓ ପ୍ରକାଶ ଡାଙ୍ଗ ମଧ୍ୟ ବିଜେପି ଶିବିରରେ ସାମିଲ ହୋଇଛନ୍ତି। ଏହି ସବୁ ନେତାଙ୍କ ପାଇଁ ବିଜେପିର ଶକ୍ତିବୃ୍ଦ୍ଧି ହୋଇଥିବା ଦଳ କହୁଥିଲା ବେଳେ ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରର ମଙ୍ଗ ଧରିଛନ୍ତି। ବିଜେପି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଥିଲା ବେଳେ ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ପୂର୍ତ୍ତ ସଚିବ ଥିବା ସମୟରେ ଆଠମଲ୍ଲିକ ଅଂଚଳ ପାଇଁ କରିଥିବା ବିକାଶମୂଳକ କାମ ଓ ଗତ ୫ ବର୍ଷ ଭିତରେ ନେଇଥିବା ପଦକ୍ଷେପ ସଂପର୍କରେ ଘରକୁ ଘର ବୁଲି ବୁଝାଉଛନ୍ତି। ଆଠମଲ୍ଲିକ ପାଇଁ ତାଙ୍କର ରହିଥିବା ସ୍ବପ୍ନକୁ ଯୁବବର୍ଗ ସହ ବାଣ୍ଟୁଛନ୍ତି। ସେହିପରି ନବୀନ ସରକାରଙ୍କ ସଫଳତାକୁ ବି ବଖାଣୁଛନ୍ତି। ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏ ଭିତରେ ଏକାଧିକ ଥର ଆଠମଲ୍ଲିକ ଗସ୍ତ କରି ବଡ଼ ବଡ଼ ସଭାରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।
ବିଜେଡି ଓ ବିଜେପି ଭିତରେ ଲଢ଼େଇ ହେବାର ସମ୍ଭାବନା ଭିତରେ କଂଗ୍ରେସ ସାମାନ୍ୟ ପଛରେ ପଡ଼ି ଯାଇଛି। ଗତଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ବିଜୟାନନ୍ଦ ଚାଉଳିଆଙ୍କ ନାମ ଏଥର ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସେ ନିର୍ବାଚନରୁ ଓହରି ଯାଇଛନ୍ତି। ଫଳରେ ଦଳ ହିମାଂଶୁ ଶେଖର ଚାଉଳିଆଙ୍କୁ ପ୍ରାର୍ଥୀ କରିଛି। ହେଲେ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳୀୟ ପ୍ରଦର୍ଶନ ଓ ସାଂପ୍ରତିକ ସଂଗଠନ ଦେଖିଲେ କଂଗ୍ରେସ ପ୍ରଭାବୀ ପ୍ରଦର୍ଶନ କରିବାର ସମ୍ଭାବନା କମ୍। ଆଗରୁ ଏଠାରେ ନଳିନୀ ଓ ସଂଜୀବ ଲଢ଼ିଥିଲେ ମଧ୍ୟ ଏଥର ଭୂମିକା ବଦଳିଛି। ନଳିନୀ ଆଗରୁ ସାଂସଦ ଭାବେ ଲଢ଼ିଥିବାରୁ ତାଙ୍କର ଚିହ୍ନ ବଦଳିନି। ଏପଟେ ବିଜେଡିରୁ ବିଧାୟକ ହୋଇଥିବା ସଂଜୀବ ଅଲଗା ଚିହ୍ନରେ ଲଢ଼ୁଛନ୍ତି। ନେତାଙ୍କ ଏହି ପରିବର୍ତ୍ତିତ ଭୂମିକାକୁ ଭୋଟର କେତେ ଗ୍ରହଣ କରୁଛନ୍ତି, ତା’ ଉପରେ ନିର୍ବାଚନ ଫଳାଫଳ ନିର୍ଭର କରୁଛି।