କେନ୍ଦୁଝର : ଗିଲିରି ସିନା ଫୁଲ, ମାତ୍ର ଏହା ଏକ ଶାଗ । କେନ୍ଦୁଝର ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଶାଗ ଭାବେ ବ୍ୟବହାର କରାଯାଉଥିବା ଏହି ଫୁଲକୁ ନେଇ ରହିଛି ବେଶ୍ ଆକର୍ଷଣ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଫୁଟୁଥିବା ଏହି ଗିଲିରି ଫୁଲକୁ ଶାଗ ରୂପେ ଖାଇବା ପାଇଁ କେନ୍ଦୁଝରବାସୀଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖା ଦେଇଥାଏ।
କେନ୍ଦୁଝର ଜିଲ୍ଲା ଏକ ବଣପାହଡ଼ ଘେରା ଜିଲ୍ଲା। ଜିଲ୍ଲାର କ୍ଷେତ୍ରଫଳ ୮୩୦୩ ବର୍ଗ କିଲୋମିଟର । ଜିଲ୍ଲାଟି ଉତ୍ତରରୁ ଦକ୍ଷିଣକୁ ୧୫୦ କିମି ଓ ପୂର୍ବରୁ ପଶ୍ଚିମକୁ ୬୬ କିମ ପରିବେଷ୍ଠିତ। ଜିଲ୍ଲାର ପରିବ୍ୟାପ୍ତ ଅଞ୍ଚଳ ମଧ୍ୟରୁ ବହୁ ଅଞ୍ଚଳ ବଣଜଙ୍ଗଲ ଓ ପାହାଡ଼ ଘେରା । ଜଙ୍ଗଲ ଯେପରି ପ୍ରକୃତିର ଦାନ ସେହିଭଳିଭାବେ ପ୍ରକୃତି ଦେଇଛି ଅନେକ ପ୍ରକାରର ବୃକ୍ଷଲତା । ଏଥିମଧ୍ୟରୁ ଗିଲିରି ଅନ୍ୟତମ। ଏହା ଏକ ଜଙ୍ଗଲୀ ଲତା।
ମାର୍ଚ୍ଚ-ଏପ୍ରିଲ ମାସ ହେଲେ ଜଙ୍ଗଲରେ ଭର୍ତ୍ତି ହୋଇ ଯାଇଥାଏ ଗିଲିରି ଫୁଲ। ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଏହା ମିଳୁଥିଲେ ମଧ୍ୟ ବାଂଶପାଳ ବ୍ଲକ ଅଞ୍ଚଳରେ ଥିବା ଜଙ୍ଗଲଗୁଡିକରେ ଏହି ଫୁଲ ଅଧିକ ମିଳିଥାଏ। ଝରଣା କୂଳ ହେଉ ବା ପାହାଡ଼ର ଓଦାଳିଆ ସ୍ଥାନରେ ଗିଲିରି ଲତା ଅଧିକ ଦୃଷ୍ଟିଗୋଚର ହୋଇଥାଏ। ବନାଞ୍ଚଳରେ ବସବାସ କରୁଥିବା ଆଦିବାସୀ ମହିଳାମାନେ ବିଶେଷ କରି ଜଙ୍ଗଲରୁ ଏହି ଫୁଲ ସଂଗ୍ରହ କରିଥାନ୍ତି। ଏହି ଫୁଲ ସଂଗ୍ରହ କରିବା କଷ୍ଟଦାୟକ। ଝରଣା କୂଳ କିମ୍ବା ଠିକେ ଓଦାଳିଆ ସ୍ଥାନରେ ଥିବା ଗଛରେ ଏହି ଫୁଲ ହୋଇଥାଏ। ଫଳରେ ଆବଶ୍ୟକ ମୁତାବକ ଫୁଲ ତୋଳିବାକୁ ବେଶି ସମୟ ଲାଗିଥାଏ। ବେଳେ ବେଳେ ସକାଳୁ ଆଦିବାସୀ ମହିଳାମାନେ ଗିଲିରି ଫୁଲ ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟାରେ ମଧ୍ୟ ଫେରିଥାନ୍ତି। ନିଜର ବ୍ୟବହାର ପାଇଁ କିଛି ପରିମାଣରେ ରଖି ଏହି ଆଦିବାସୀ ମହିଳାମାନେ ପରଦିନ କେନ୍ଦୁଝର ବଜାରକୁ ବିକ୍ରି ପାଇଁ ଆସିଥାନ୍ତି। ବଜାରକୁ ଏହି ଗିଲିରି ଫୁଲ ଆସିବା ମାତ୍ରେ ଏହାକୁ କିଣିବା ପାଇଁ ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଥାଏ।
ଦିନ ଥିଲା ଏହି ଫୁଲ ବା ଶାଗକୁ ଗରିବ ଲୋକର ପଖାଳ ବେଲାର ସାଥୀ ବୋଲି କୁହାଯାଉଥିଲା । ଏବେ ଆଉ ସେ ସଂଜ୍ଞା ନାହିଁ । ବଦଳିଛି ଗିଲିରିର ପରିଚୟ । ଏହାକୁ କେବଳ ଶାଗ ଭାବି ଲୋକେ ବ୍ୟବହାର କରୁ ନାହାନ୍ତି । ତାର ଔଷଧୀୟ ଗୁଣ ପାଇଁ ଚାହିଦା ବୃଦ୍ଧିପାଇଛି । ଗିଲିରି ଫୁଲ ଦେଖିବାକୁ ସୁନ୍ଦର। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସହିତ ଧାତୁସାର ଥାଏ ବୋଲି କୁହାଯାଏ ।
ପୁଲକୁ ଶାଗ ଭାବେ ବ୍ୟବହାର କରିବାର ଶୈଳୀ ମଧ୍ୟ ଅନ୍ୟ ଶାଗଠାରୁ ନିଆରା। ଏହାକୁ ପ୍ରଥମେ ଗରମ ପାଣିରେ ଶିଝାଇବାକୁ ପଡିଥାଏ। ପରେ ଛାଣି ତାକୁ ଶାଗ ଖରଡିବା ଭଳି ବାଇଗଣ, ବଡି, ଚୁନା ସହିତ ମିଶାଇ ଖାଦ୍ୟ ପ୍ରସ୍ତୃତ କରାଯାଏ। ଏହାର ସ୍ବାଦ ଅନ୍ୟ ଖାଦ୍ୟ ଠାରୁ ନିଆରା। ଏହାକୁ ଖାଇଲେ କୋଷ୍ଠକାଠିନ୍ୟ ଦୂର ହେବା ସହିତ କାଛୁ କୁଣ୍ଡିଆ ଏବଂ କୃମି ରୋଗରୁ ମୁକ୍ତି ମିଳିଥାଏ ବୋଲି ଆଦିବାସୀ ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଛି ।
ଗିଲିରି ଫୁଲ ବିକ୍ରି କରିଥିବା ଆଦିବାସୀ ମହିଳା ରାଇମଣୀ ଦେହୁରୀ କହିଛନ୍ତି ଯେ, ଗିଲିରି ଫୁଲ ଜଙ୍ଗଲରୁ ସଂଗ୍ରହ କରବା କଷ୍ଟ। ବେଳେ ବେଳେ ଦିନ ତମାମ ଏହି ଫୁଲ ସଂଗ୍ରହ କରିବା ପରେ ଏହାର ପରଦିନ ବଜାରକୁ ଆସି ବିକ୍ରି କରିଥାଉ। ଦୁଇ ଦିନର ମଜୁରି ସହିତ ବଜାରକୁ ଆସି ଗାଡି ଭଡା ଦେଇ ବିକ୍ରି କିବା ପରେ ହାତରେ ଥାଏ ପାଖାପାଖି ୨୦୦ ଟଙ୍କା। ଯାହାକି ବହୁତ କମ୍ ବୋଲି ସେ କହିଛନ୍ତି।
ସେହିପରି ପରିବେଶବିତ୍ ଡକ୍ଟର ବିମ୍ବାଧର ବେହେରା କୁହନ୍ତି, ଗିଲିରି ଫୁଲର ସ୍ୱତନ୍ତ୍ର ସ୍ୱାଦ ସହ ଔଷଧୀୟ ଉପଯୋଗିତା ରହିଛି । ଏହା କୋଷ୍ଠକାଠିନ୍ୟ ଦୂର କରିବାରେ ସହାୟକ ହୋଇଥାଏ ଓ ଶରୀରର ହିତ ସାଧକ ଧାତୁ ସାର ବୃଦ୍ଧିକରିବାରେ ସହାୟକ ହୁଏ । ପୂର୍ବରୁ ଏହାର ଉପକାରିତା ବାବଦରେ କେବଳ ବନବାସୀମାନେ ଜାଣିଥିଲେ । କିନ୍ତୁ ଏହାର ଏବେ ବହୁଳ ବ୍ୟବହାର ହେଲାଣି ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ଆଦିବାସୀ ମହିଳା ସମ୍ଭାରୀ ମୁଣ୍ଡା କହିଛନ୍ତି, ପ୍ରତି ବର୍ଷ ବସନ୍ତ ରିତୁ ଆସିଲେ ଏହି ଫୁଲକୁ ଶାଗ କରି ଖାଇବା ଆଦିବାସୀଙ୍କର ଏକ ପରମ୍ପରାରେ ପରିଣତ ହୋଇ ସାରିଛି। ପ୍ରତି ଦିନ ସଂଗ୍ରହ କରି ପଖାଳ ଭାତ ସହିତ ଖାଇବାକୁ ବେଶ୍ ଭଲ ଲାଗିଥାଏ ବୋଲି ସେ କହିଛନ୍ତି।