ଅନୁଗୁଳ : ଅନୁଗୁଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍(ଏୟୁସିସି)ର କାମାକ୍ଷାନଗର ଶାଖାର ଚର୍ଚ୍ଚିତ ସୁଧ କେଳେଙ୍କାରୀ ମାମଲାର ରାୟ ପ୍ରକାଶ ପାଇଛି। ଘଟଣାର ଛାନ୍ଭିନ୍ କରି ଡେପୁଟି ରେଜିଷ୍ଟ୍ରାର୍ ଅଫ୍ କୋ-ଅପ୍ରେଟିଭ୍ ସୋସାଇଟି, ଢେଙ୍କାନାଳ ଏ ଦୁର୍ନୀତି ପାଇଁ ମୋଟ୍ ୪ ଜଣଙ୍କୁ ଦାୟୀ କରିଛନ୍ତି। ସେମାନେ ହେଲେ, ଏୟୁସିସି ବ୍ୟାଙ୍କ୍ର ତତ୍କାଳୀନ ସଭାପତି ବିଭୁଦେନ୍ଦୁ ପଟ୍ଟନାୟକ, ତତ୍କାଳୀନ ସଭାପତି ଅକ୍ଷୟ ମହାନ୍ତି, ସିଇଓ ଏନ୍.ଏନ୍. ଦାସ ଏବଂ ବ୍ୟାକିଂ ଆସିଷ୍ଟାଣ୍ଟ୍ ସଞ୍ଜୟ ଶତପଥୀ। ମୋଟ୍ କୋଟିଏ ୩୭ ଲକ୍ଷ ଟଙ୍କା ଏହି ଚାରି ଜଣଙ୍କଠାରୁ ଭରଣା କରିବା ପାଇଁ ଡେପୁଟି ରେଜଷ୍ଟ୍ରାର୍ ନିଜ ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ପ୍ରତ୍ୟେକଙ୍କଠାରୁ ୩୪ଲକ୍ଷ ୩୭ହଜାର ୯୫୦ ଲେଖାଏଁ ଟଙ୍କା ଆଦାୟ କରିବାକୁ ରାୟରେ କୁହାଯାଇଛି।
ସୂଚନା ମୁତାବକ, ଏୟୁସିସି ବ୍ୟାଙ୍କ୍ କାମାକ୍ଷାନଗର ଶାଖାରେ ସୁଧ ନାଁରେ ଲୋକଙ୍କ ଟଙ୍କା ହରିଲୁଟ୍ କରାଯାଇଥିବା ଘଟଣା ପ୍ରଘଟ ହୋଇଥିଲା। ୨୦୦୮ରୁ ୨୦୧୬ ମସିହା ମଧ୍ୟରେ କିସ୍ତି କିସ୍ତି କରି ମୋଟ୍ ପ୍ରାୟ ତିନି କୋଟି ଟଙ୍କା ଚଳୁ କରାଯାଇଥିବା ଭିନ୍ନ ଭିନ୍ନ ଅଡିଟ୍ ରିପୋର୍ଟରୁ ଜଣାପଡ଼ିଥିଲା। ବ୍ୟାଙ୍କ୍ର ହିତାଧିକାରୀଙ୍କ ଆକାଉଣ୍ଟ୍କୁ ଆବଶ୍ୟକତାଠାରୁ ଢେର୍ ଗୁଣ ଅଧିକ ଟଙ୍କା ସୁଧ ପୈଠ କରାଯାଇଥିଲା। ହିତାଧିକାରୀଙ୍କ ଜାଲ୍ ଦସ୍ତଖତ କରି ଉକ୍ତ ଖାତାରୁ ଟଙ୍କା ଉଠାଣ କରି ଗାଏବ କରାଯାଇଥିଲା। ୩ଟି ଅଡିଟ୍ ରିପୋର୍ଟ ବ୍ୟାଙ୍କ୍ର କେବଳ ଏହି ଗୋଟିଏ ଶାଖାରୁ ପ୍ରାୟ ତିନି କୋଟି ଟଙ୍କାର କେଳେଙ୍କାରୀ କରାଯାଇଥିବା ଘଟଣାର ଖୁଲାସା କରିଥିଲା।
ଏନେଇ ବ୍ୟାଙ୍କ୍ କର୍ତୃପକ୍ଷ କୋ-ଅପରେଟିଭ୍ ରେଜିଷ୍ଟ୍ରାର୍ଙ୍କ ନିକଟରେ ତିନି କୋଟି ଟଙ୍କାର ମୋଟ୍ ତିନିଟି ଡିସ୍ପୁଟ୍ କେସ୍ କରିଥିଲେ। ଯାହାର ବିଚାର କରିବାକୁ ରେଜିଷ୍ଟ୍ରାର୍ ଢେଙ୍କାନାଳ ଡେପୁଟି ରେଜିଷ୍ଟ୍ରାର୍ଙ୍କୁ ଦେଇଥିଲେ।
ମୋଟ୍ ତିନିଟି ମାମଲାରୁ ଗୋଟିଏ ମାମଲାର ରାୟ ଇତିମଧ୍ୟରେ ପ୍ରକାଶ ପାଇଛି। ଏହି ମାମଲାରେ କୋଟିଏ ୩୭ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ବେଳେ ଏଥିପାଇଁ ଦୁଇ ଜଣ ପୂର୍ବତନ ବ୍ୟାଙ୍କ୍ ସଭାପତି, ପୂର୍ବତନ ସିଇଓ ଏବଂ ବ୍ୟାଙ୍କିଂ ଆସିଷ୍ଟାଣ୍ଟ୍ଙ୍କୁ ଡେପୁଟି ରେଜିଷ୍ଟ୍ରାର୍ ନିଜ ତଦନ୍ତ ରିପୋର୍ଟରେ ଦାୟୀ କରିଛନ୍ତି।