ଏୟୁସିସି ବ୍ୟାଙ୍କ ସଭାପତି ନିର୍ବାଚନ: ବିଜେଡିରେ ବିଦ୍ରୋହୀ ପ୍ରାର୍ଥୀ

ଦଳୀୟ ନିଷ୍ପତ୍ତି ମାନିଲେନି ପ୍ରତାପ

ଅନୁଗୁଳ : ନିଷ୍ପତ୍ତି ହୋଇଥିଲା, ହାଇକମାଣ୍ଡ ଯାହାକୁ ବାଛିବେ ସମସ୍ତେ ତାଙ୍କୁ ସମର୍ଥନ କରିବେ। ଦଳ ତରଫରୁ ଯିଏ ପ୍ରାର୍ଥୀ ହେବେ, ସେ କେବଳ ନାମାଙ୍କନ ଭରିବେ। ତେଣୁ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ବିନା ପ୍ରତିନ୍ଦ୍ବନ୍ଦ୍ବିତାରେ ଜିତିବେ ବୋଲି ଅନୁମାନ କରାଯାଉଥିଲା। ହେଲେ, ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଆସି ପହଞ୍ଚିବା ପୂର୍ବରୁ ଦଳରେ ବିଦ୍ରୋହ ସୃଷ୍ଟି ହୋଇଛି। ଦୁଇ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିବା ଫଳ‌ରେ ଆସନ୍ତା ୧୯ ତାରିଖରେ ଭୋଟହେବା ସ୍ପଷ୍ଟ ହୋଇଯାଇଛି। ଦଳ ପକ୍ଷରୁ ବନ୍ଦ ଲଫାପାରେ ସନ୍ତୋଷ ପ୍ରଧାନଙ୍କ ନାମ ଆସିଥିଲାବେଳେ ସେ ଓ ଅନ୍ୟତମ ଆଶାୟୀ ପ୍ରତାପ ଚନ୍ଦ୍ର ମଲ୍ଲିକ ଆଜି ସଭାପତି ପଦ ପାଇଁ ନିଜର ନାମାଙ୍କନ ଭରିଛନ୍ତି। ବିଦ୍ରୋହୀ ସାଜିଥିବା ପ୍ରତାପ ଚନ୍ଦ୍ର ମଲ୍ଲିକ ହେଉଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭିଣୋଇ।

ଗତ ୧୧ ତାରିଖ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ଓ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ଏଠାକୁ ଆସି କାହାକୁ ସଭାପତି କରାଯିବ, ସେନେଇ ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନା ସମୟରେ ୪/୫ଜଣଙ୍କ ନଁା ଉଠିଥିବାବେଳେ କୌଣସି ନିର୍ଦ୍ଦିଷ୍ଟ ନାମକୁ ନେଇ ସହମତି ପ୍ରକାଶ ପାଇନଥିଲା। ଫଳରେ, ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଯାହାକୁ ବାଛିବେ, ସେ ହିଁ ସଭାପତି ପ୍ରାର୍ଥୀ ହେବେ ବୋଲି ଆଲୋଚନା ହୋଇଥିଲା।

ଗୁରୁବାର ଏକ ନାଟକୀୟ ଘଟଣାକ୍ରମରେ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଛନ୍ତି। ସୂଚନା ଅନୁସାରେ, ଗୁରୁବାର ଦିନ ୧୦ଟା ୫୫ମିନିଟ୍‌ ସମୟରେ ହାଇକମାଣ୍ଡଙ୍କ ଚିଠି ଆଣି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପହଞ୍ଚିଥିଲେ। କିନ୍ତୁ, ଏହାପୂର୍ବରୁ ଅର୍ଥାତ୍‌ ୧୦ଟା୦୫ମିନିଟ୍‌ ସମୟରେ ପ୍ରତାପ ଚନ୍ଦ୍ର ମଲ୍ଲିକ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାର ୧୫ମିନିଟ୍‌ ପରେ ସନ୍ତୋଷ ପ୍ରଧାନ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ପରେ ସବୁ ନିର୍ଦ୍ଦେଶକଙ୍କ ସମ୍ମୁଖରେ ଲଫାପା ଖୋଲା ଯାଇଥିଲା। ଏଥିରେ ସନ୍ତୋଷ ପ୍ରଧାନଙ୍କ ନାଁ ରହିଥିଲା। ତେଣୁ, ଦଳ ପକ୍ଷରୁ ସେ ପ୍ରାର୍ଥୀ ହେବାନେଇ ଘୋଷଣା କରିଥିଲେ ମନ୍ତ୍ରୀ ଶ୍ରୀମଲ୍ଲିକ। ଏଥିସହିତ, ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ପାଇଁ ଦଳର ବରିଷ୍ଠ ନେତାମାନେ ପ୍ରତାପଙ୍କୁ ବୁଝାସୁଝା କରିଥିଲେ। ହେଲେ, ସେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ ସ୍ପଷ୍ଟଭାବେ ମନା କରି ଦେଇଥିଲେ।

ହାଇକମାଣ୍ଡଙ୍କ ନିଷ୍ପତ୍ତି ବିରୋଧରେ ପ୍ରତାପଙ୍କ ଏମିତି ବିଦ୍ରୋହ ‌ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଜେଡି ରାଜନୀତିକୁ ହଲଚଲ କରି ଦେଇଛି। ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ ରହିଥିବାରୁ ଆସନ୍ତା ୧୯ ତାରିଖରେ ଲଢ଼େଇ ହେବା ସ୍ପଷ୍ଟ ହୋଇଯାଇଛି।
ଉଲ୍ଲେଖଯୋଗ୍ୟ, ସଭାପତି ନିର୍ବାଚନ ଦଳୀୟ ଭିତ୍ତିରେ ନହେଲେ ମଧ୍ୟ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଉଛି।

ସମ୍ବନ୍ଧିତ ଖବର