ଅନୁଗୁଳ : ଦୀର୍ଘ ପ୍ରାୟ ବର୍ଷକ ପରେ ଏବେ ଚେଇଁ ଉଠିଛନ୍ତି ସରକାର। ଏୟୁସିସି ବ୍ୟାଙ୍କ ନାଁରେ ଉଠିଥିବା ଲକ୍ଷ ଲକ୍ଷ ଟଙ୍କା କେଳେଙ୍କାରୀର ସ୍ୱତନ୍ତ୍ର ଅଡିଟ୍ କରାଇବାକୁ ଅଡିଟର ଜେନେରାଲଙ୍କୁ ଗୁରୁବାର ଦିନ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି। ଅଭିଯୋଗ ହୋଇଥିବା ପ୍ରତିଟି ବିନ୍ଦୁ ଉପରେ ଅଡିଟ୍ କରିବାକୁ ଚିଠିରେ ସୁପାରିସ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଏୟୁସିସି ବ୍ୟାଙ୍କ ନାଁରେ ଦୁର୍ନୀତିର ଚିଠା ବେଶ ଲମ୍ବା। ବ୍ୟାଙ୍କର କାମାକ୍ଷାନଗର ଶାଖାରେ ସୁଧ ନାଁରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ହେରଫେର ଠାରୁ ଆରମ୍ଭ କରି ବିଭିନ୍ନ ଶାଖାରେ ବ୍ୟାଙ୍କିଂ ଆସିଷ୍ଟାଣ୍ଟ ପରୀକ୍ଷା ଏବଂ ନିଯୁକ୍ତିରେ ଅନିୟମିତତା ଯାଏଁ ଏୟୁସିସି ବ୍ୟାଙ୍କ ନାଁରେ ଦୁର୍ନୀତିର ଅଭିଯୋଗ ଗଦା ହୋଇଥିଲା।
ସବୁ ଆଡୁ ଚାପ ପରେ ସମବାୟ ବିଭାଗର ରେଜିଷ୍ଟ୍ରାର ଚିଠି ନମ୍ବର ୮୬୨୯ରେ କୋ-ଅପରେଟିଭ୍ ସୋସାଇଟିର ଅଡିଟର୍ ଜେନେରାଲ୍ଙ୍କୁ ଚିଠି ଲେଖି ଅଭିଯୋଗର ସ୍ୱତନ୍ତ୍ର ଅଡିଟ୍ କରାଇବାକୁ ସୁପାରିସ କରିଛନ୍ତି। ତେବେ ଢେଙ୍କାନାଳ ଡିଆର୍ସିଏସ୍ ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେଇ ସାରିଲା ପରେ ସମାନ ଅଭିଯୋଗର ସ୍ୱତନ୍ତ୍ର ଅଡିଟ୍ ପାଇଁ କାହିଁକି ନିର୍ଦେଶ ଦିଆଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି।