୧୧ ଖଣିର ନିଲାମ ପ୍ରକ୍ରିୟା ଆରମ୍ଭ, ଟେଣ୍ଡର ପେପର୍‌ କିଣିଲେଣି ୬୨ କମ୍ପାନି

କେନ୍ଦୁଝର : କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୧୧ଟି ଖଣି ଲିଜ୍‌ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୬୨ଟି କମ୍ପାନି ଆଗ୍ରହ ପ୍ରକାଶ କରିବା ସହିତ ଟେଣ୍ଡର ପେପର କିଣିଥିବା ଜଣାଯାଇଛି। ୧୯ ତାରିଖ ପର୍ଯ୍ୟନ୍ତ ଏହି ଟେଣ୍ଡର ପେପର‌ ବିକ୍ରି କରାଯିବାକୁ ଥିବା ବେଳେ ଟେଣ୍ଡରର ଭାଗ ନେବାକୁ ଆହୁରି ଅଧିକ କମ୍ପାନି ଟେଣ୍ଡର ପେପ‌ର କିଣିବାର ସମ୍ଭାବନା ରହିଛି। ଟେଣ୍ଡର ପେପର୍‌ ଦାଖଲର ଶେଷ ତାରିଖ ରହିଛି ଅଗଷ୍ଟ ୨୪ ତାରିଖ। ସେପ୍ଟେମ୍ବର ୧୭ ତାରିଖଠାରୁ ଟେଣ୍ଡ ପେପର ଖୋଲା ହେବା କାର୍ଯ୍ୟ ଆରମ୍ଭ ହେବ ବୋଲ ଖଣି ନିର୍ଦ୍ଦେଶାଳୟର ଜଣେ ବରି‌ଷ୍ଠ ଅଧିକାରୀଙ୍କଠାରୁ ସୂଚନା ମିଳିଛି।

ଖଣି ନିର୍ଦ୍ଦେଶାଳୟର ନୋଟିସ ଅନୁସାରେ, ‌ଏହି ୧୧ଟି ଖଣି ମଧ୍ୟରୁ ୭ଟି ଲୁହାପଥର ଖଣି, ୨ଟି ଲୁହାପଥର ଏବଂ ମାଙ୍ଗାନିଜ୍‌ ଖଣି, ଗୋଟିଏ ଲୁହାପଥର ଏବଂ ଡୋଲାମାଇଟ୍‌ ଖଣି, ଗୋଟିଏ ଲୁହାପଥର ଏବଂ ବକ୍ସାଇଟ ଖଣି ରହିଛି। ଏହି ଖଣିଗୁଡିକ ମଧ୍ୟରେ କାଶିଆ ଆଇରନ୍‌ ଓର ଆଣ୍ଡ ଡୋଲା ମାଇନଟ୍‌ ବ୍ଲକ, ନିଧିଡିହି ଆଇରନ୍‌ ଓର ବ୍ଲକ, ନିଧିଡିହି ଆଇରନ ଓର ଆଣ୍ଡ ମାଙ୍ଗାନିଜ୍‌ ବ୍ଲକ, ତେହେରାଇ ଆଇରନ୍‌ ଓର ଆଣ୍ଡ ମାଙ୍ଗାନିଜ୍‌ ବ୍ଲକ, ପୁରେଇବାହଲ ଆଇରନ୍‌ ଓର ବ୍ଲକ, ଚାନ୍ଦିପୋଷି ଆଇରନ୍‌ ଓର ବ୍ଲକ, ଝୁମୁକା ପଥିରିପୋଷି ଆଇରନ୍‌ ଓର ବ୍ଲକ, ଢ଼ୋଲତାପାହାଡ ଆଇରନ୍‌ ଓର ବ୍ଲକ, ନେତ୍ରାବନ୍ଦ ପାହାଡ ଆଇରନ୍‌ ଓର ବ୍ଲକ, ଗନ୍ଧଲପଡ଼ା ଆଇରନ୍‌ ଓର ବ୍ଲକ, କର୍ଲାପାଟ ବକ୍ସାଇଟ୍‌ ବ୍ଲକ ନିଲାମ ପାଇଁ ଇତିମଧ୍ୟରେ ୬୨ଟି କମ୍ପାନି ଟେଣ୍ଡର ପେପର୍‌ ନେଇଛନ୍ତି।

ETEnergyworld.com

ବର୍ଷକ ମଧ୍ୟରେ ଲୁହାପଥର ଉତ୍ତୋଳନ ନେଇ ବିଭିନ୍ନ ସମସ୍ୟା ଲାଗି ରହିଥିବାରୁ ଇସ୍ପାତ ଶିଳ୍ପ କଞ୍ଚାମାଲ ସମସ୍ୟାର ସମ୍ମୁଖୀନ ହେଉଛି। ଗତ ବର୍ଷ ୧୯ଟି ଲୁହାପଥର ଖଣି ମଧ୍ୟରୁ ଗତ ବର୍ଷକ ମଧ୍ୟରେ ଅଧିକାଂଶ ଖଣି ଲିଜ୍‌ଧାରୀ ଖଣିଜ ଉତ୍ତୋଳନ କରିପାରି ନଥିବା ବେଳେ କିଛି ଲିଜ୍‌ଧାରୀ ଆରମ୍ଭରୁ ଓହରି ଯାଇଛନ୍ତି। ଏହି କ୍ରମରେ ଜିଲିଙ୍ଗ ଲାଙ୍ଗାଲୋଟା ଲୁହାପଥର ଖଣିକୁ ଶ୍ୟାମ ଓର୍‌ ୧୩୫ ପ୍ରତିଶତ ପ୍ରିମିୟମରେ ଲିଜ୍‌ ପାଇବା ସତ୍ତ୍ବେ ଓହରି ଯାଇଥିଲା। ଏହି ଖଣି ଓଏମ୍‌ସି ହାତକୁ ଯାଇଥିଲା। ଗୁଆଲି ଲୁହାପଥର ଖଣିକୁ ଜେଏସ୍‌ପିଏଲ୍‌ ନିଲାମ ପ୍ରକ୍ରିୟାରେ ପାଇବା ସତ୍ତ୍ବେ ଉତ୍ତୋଳନରୁ ଓହରି ଯାଇଥିଲା। ଏହାପରେ ଉକ୍ତ ଖଣିକୁ ମଧ୍ୟ ସରକାର ଓଏମ୍‌ସିକୁ ଦେଇଥିଲେ। ଆଜି ପର୍ଯ୍ୟନ୍ତ ମାତ୍ର ୯ଟି ଲୁହାପଥର ଖଣିରୁ ସରକାରଙ୍କ ଧାର୍ଯ୍ୟ ଟା‌ର୍ଗେଟ ଅନୁସାରେ ଲୁହାପଥର ପରିବହନ ହୋଇଥିବା ବେଳେ ୫ଟି ଖଣିରୁ ମାତ୍ର ୫୦ ପ୍ରତିଶତ ଲୁହାପଥର ପରିହବନ ହୋଇପାରିଛି।

ସିରାଜ୍ଜୁଦ୍ଦିନ ଭଳି ଖଣି ଲିଜ୍‌ଧାରୀ ସରକାରଙ୍କ ଧାର୍ଯ୍ୟ ଖଣିଜ ପରିବହନ ଟାର୍ଗେଟକୁ ଏଯାଏ ପୂରଣ କରି ପାରିନାହାନ୍ତି। ଏମିତିକି ଜୁନ୍‌ ୨୦ ତାରିଖ ସୁଦ୍ଧା ଜୁରୁଡି ଖଣିର ମାତ୍ର ୪.୨ ପ୍ରତିଶତ ଲୁହାପଥର ପରିବହନ ହୋଇଥିବା ବେଳେ କଟାସାହି ମାଙ୍ଗାନିଜ୍‌ ଖଣି ଏବଂ କୋଇଡା ମାଙ୍ଗାନିଜ୍‌ ଖଣିରୁ ମୁଠାଏ ବି ଖଣିଜ ପରିବହନ ହୋଇପାରିନାହିଁ। ଯେଉଁ ଖଣିଗୁଡିକ ସେମାନଙ୍କର ଉତ୍ପାଦନ ଏବଂ ପରିବହନ ଆରମ୍ଭ କରି ନାହାନ୍ତି, ସେଥିମଧ୍ୟରୁ ୩ଟି ଖଣିକୁ ମଧ୍ୟ ପୁନଃ ନିଲାମ ହେବାର ଯୋଜନା ରହିଥିବା ଖଣି ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିବା ୧୧ଟି ଖଣିରୁ ମୋଟ ୭ଟି ଖଣି ସଂପୂର୍ଣ୍ଣ ଭାବେ ନୂଆ। ଆଉ ୪ଟି ଖଣି ଲିଜ୍‌ ଅବଧି ସରିବା ପରେ ଆଉଥରେ ନିଲାମ ହେଉଛି। ପୂର୍ବରୁ ୨୦୨୦ ମାର୍ଚ୍ଚରେ ମୋଟ ୧୯ଟି ଖଣିର ନିଲାମ ହୋଇଥିଲା। ଏହି ନିଲାମ ଖଣିଗୁଡିକ ୨୦୨୦ ବାଣିଜ୍ୟ ବର୍ଷରେ ମୋଟ ୭୧ ମିଲିୟନ ଟନ୍‌ ଲୁହାପଥର ଉତ୍ତୋଳନ କରିଥିଲେ। ଏହି ୧୧ଟି ଖଣିରୁ ଲୁହାପଥର ଉତ୍ତୋଳନ ହେଲେ, ଓଡ଼ିଶା ଲୁହାପଥର ଉତ୍ତୋଳନରେ ଅଧିକ ସଫଳତା ହାସଲ କରିବ।

ସମ୍ବନ୍ଧିତ ଖବର